କନକ ବ୍ୟୁରୋ: ଲୁଟ୍ ହେଉଛି କଳା ପଥର । ଦୀର୍ଘଦିନ ହେଲା ଗଞ୍ଜାମ ଜିଲ୍ଲା ସାହାଖୋଲ ଜଙ୍ଗଲରେ ବେଆଇନ ଭାବେ ବହୁ ପଥର ଖାଦାନ ଚାଲିଛି । ଜଙ୍ଗଲ ନଷ୍ଟ ଫଳରେ ଜୀବଜନ୍ତୁ ଗାଁମୁହାଁ ହେଉଛନ୍ତି । ଜଙ୍ଗଲ ପାଖ ଜମିରେ ଚାଷ ହୋଇ ପାରୁନାହିଁ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । କାହା ଛତ୍ରଛାୟା ତଳେ ବେଆଇନ ଖାଦାନ ଚାଲିଛି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି ।
ଗଞ୍ଜାମ ସୁମଣ୍ଡଳ ନିକଟରେ ସବୁଜିମା ଭରା ସାହାଖୋଲ ଜଙ୍ଗଲ ଉପରେ ପଥର ମାଫିଆଙ୍କ ଆଖି ପଡ଼ିଛି । ଜଙ୍ଗଲ ଜମିରୁ ଲୁଟ୍ ହେଉଛି କଳା ପଥର । ପାହାଡ଼ ଚାରିପଟ ବହୁ ସ୍ଥାନରେ କମ୍ପ୍ରେସର ଲଗାଇ ବ୍ଲାଷ୍ଟିଂ କରି ମାଫିଆ ପଥର ଚୋରା ଚାଲଣ କରୁଛନ୍ତି ! ଖଲ୍ଲିକୋଟ ବନାଞ୍ଚଳ ଅଧୀନ ସୁମଣ୍ଡଳ ସେକ୍ସନ ଅଫିସଠାରୁ ମାତ୍ର କିଛି ବାଟ ଦୂରରେ ଏହା ଚାଲିଛି । ଏନେଇ ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଓ ଖଣି ବିଭାଗକୁ ଅଭିଯୋଗ ପରେ ବି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
ଦିନେ କି ଦୁଇଦିନ ନୁହେଁ, ଦୀର୍ଘଦିନ ହେଲା ଏଠାରେ ବେଆଇନ କଳା ପଥର ଖାଦାନ ଚାଲିଛି । ସ୍କୁଲଠାରୁ ମାତ୍ର ୧୦୦- ୨୦୦ ମିଟର ଦୂରରେ ବ୍ଲାଷ୍ଟିଂ ! କରାଯାଉଥିବାରୁ ଅଞ୍ଚଳର ଲୋକ ଶବ୍ଦ ପ୍ରଦୂଷଣରେ ଅତିଷ୍ଠ ହୋଇ ପଡୁଛନ୍ତି। ଜଙ୍ଗଲୀ ଜୀବଜନ୍ତୁ ଗାଁମୁହାଁ ହେଉଥିବା ଦେଖିବାକୁ ମିଳୁଛି । ବ୍ଲାଷ୍ଟିଂ ପାଇଁ ପାହାଡ଼ ନିକଟ ଜମିରେ ପଥର ଗୁଣ୍ଡ ପଡୁଥିବାରୁ ଚାଷ କାର୍ୟ୍ୟ ହୋଇପାରୁନି । କିଛି ରାଜନେତା ଏହି ପଥର ଖାଦାନ ଚଳାଉଥିବା ଅଭିଯୋଗ ହୋଇଛି ।
ସୁମଣ୍ଡଳ ଅଞ୍ଚଳରେ ପାଖପାଖି ୧୦ ସ୍ଥାନରେ ବେଆଇନ ପଥର ଓ ମୋରମ ଖାଦାନ ଚାଲିଛି । ବେଆଇନ ଖଣି ଖାଦାନରେ ଚଢ଼ାଉ ଦାୟିତ୍ବ ରାଜସ୍ୱ ବିଭାଗ ହାତରୁ ଖଣି ବିଭାଗ ପାଖକୁ ଚାଲିଯାଇ ଥିବା ବେଳେ ମାଫିଆମାନେ ଖଣି ବିଭାଗର ନିଷ୍କ୍ରିୟରୁ ଫାଇଦା ଉଠାଉଛନ୍ତି ।