କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଫୁଡ୍ ବ୍ଲଗରଙ୍କ ସନ୍ଦେହଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ । ଇନଫୋସିଟି ଥାନା ଅଧୀନ ଆଦର୍ଶ ବିହାରସ୍ଥିତ ଏକ ଲେଡିଜ ହଷ୍ଟେଲରୁ ମୃତଦେହ ମିଳିଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଆଖିରେ ଆଖିଏ ଲୁହ ଓ ଛାତିରେ ଛାତିଏ କୋହ । ପୂରା ପରିବାର ସ୍ତବ୍ଧ । ହସଖୁସି ମନୋଭାବର ଝିଅର ମୃତ୍ୟୁରେ ପରିବାର ଭାଙ୍ଗି ପଡିଛନ୍ତି । ମୃତ ଯୁବତୀ ହେଉଛନ୍ତି ସୋନାଲି ସଂଘମିତ୍ରା ପରିଡ଼ା । ବୟସ ୨୫ ବର୍ଷ । ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା । ୩ ବର୍ଷ ହେଲା ଭୁବନେଶ୍ବର ପଟିଆ ଆଦର୍ଶ ବିହାର ଲେନ-୨ରେ ଥିବା ଏକ ଲେଡିଜ ହଷ୍ଟେଲରେ ରହିବା ସହ ବରମୁଣ୍ଡା ଫାୟାର ଷ୍ଟେସନ ନିକଟସ୍ଥ ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲେ । ଜଣେ ଫୁଡ୍ ବ୍ଲଗର ଭାବେ ବେଶ୍ ପରିଚିତ ଥିଲେ ସୋନାଲି ।
ହେଲେ ଗତକାଲି ବିଳମ୍ବିତ ରାତିରେ ହଠାତ ଝୁଲନ୍ତା ଅବସ୍ଥାରେ ସୋନାଲିଙ୍କ ମୃତଦେହ ମିଳିଥିଲା । ତେବେ ଗୋଡ଼ ତଳକୁ ଲାଗିଥିବାରୁ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ସୋନାଲିଙ୍କ ବାପା ଦିଲ୍ଲୀପ ପରିଡ଼ାଙ୍କ ଅଭିଯୋଗ ପରେ ପୋଲିସ କେସ ନମ୍ବର ୧୬୦/୨୦୨୪ରେ ଅପମୃତ୍ୟୁ ମାମଲା ରୁଜୁ କରିଛି । ସୋନାଲି ରହୁଥିବା ରୁମ୍ର ଅନ୍ୟ ଦୁଇ ଯୁବତୀ ୭ ଦିନ ହେଲା ଛୁଟିରେ ଗାଁକୁ ଯାଇଛନ୍ତି । ମୃତ୍ୟୁ ପୂର୍ବରୁ ସୋନାଲି କାହାକୁ କଲ୍ କରଥିଲେ ତାର ତଦନ୍ତ ଚାଲିଛି ।
ଲେଡିଜ ହଷ୍ଟେଲ ମାଲିକଙ୍କୁ ପଚରାଉଚରା କରିଛି ପୋଲିସ । ଏଠାରେ ପ୍ରଶ୍ନ ଉଠୁଛି, ସୋନାଲି ଡିପ୍ରେସନରେ ଥିଲେ କି ? ମୃତ୍ୟୁ ପଛର କାରଣ କଣ ? ପ୍ରେମରେ ପ୍ରତାରଣା ପାଇଁ ପ୍ରାଣ ହାରିଲେ କି ୟୁଟ୍ୟୁବର ? ନା କାର୍ଯ୍ୟ କ୍ଷେତ୍ରରେ ମିଳୁଥିଲା ନିର୍ଯ୍ୟାତନା ? ମୃତଦେହ ବ୍ୟବଛେଦ କରି ପୁଲିସ ତଦନ୍ତ ଆରମ୍ଭ କରିଛି ଓ ସୋନାଲିଙ୍କୁ ଶେଷ କଲ୍ କରିଥିବା ବ୍ୟକ୍ତିଙ୍କ ତଥ୍ୟ ପାଇଛି ପୁଲିସ ଓ ତେବେ ସୋନାଲିଙ୍କ ମୃତ୍ୟୁ ପାଇଁ କିଏ ଦାୟୀ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।