କନକ ବ୍ୟୁରୋ: ସାଧାରଣ ଲୋକ ତ ଠକେଇର ଶିକାର ହେବା କଥା ଆପଣ ଶୁଣିଥିବେ ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମନ୍ତ୍ରୀ ବି ଦଲାଲଙ୍କଠାରୁ ବର୍ତ୍ତି ପାରିନାହାନ୍ତି । ଏମିତି ଏକ ଠକେଇର ଶିକାର ହୋଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଢେଙ୍କାନାଳ ସଦର ଥାନା ବଣସିଂହ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଜମି ବିକ୍ରି କରିବାକୁ କହି ୨୫ ଲକ୍ଷ ଟଙ୍କା ଠକି ନେଇଛି । ଟଙ୍କା ଫେରାଇବେ ବୋଲି କହି ଭଣ୍ଡାଇ ଚାଲିଲେ । ବିଗତ ୪ ବର୍ଷ ହେଲା ଆଉ ସେହି ବ୍ୟକ୍ତି ଜଣଙ୍କ ମନ୍ତ୍ରୀଙ୍କୁ ଧରାଛୁଆଁ ଦେଉନାହାନ୍ତି । ଠକାମିର ଶିକାର ହୋଇ ଶେଷରେ ମନ୍ତ୍ରୀ ରବିବାର ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Advertisment

ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଘର ଢେଙ୍କାନାଳ ଟାଉନ ଥାନା ସିମିଳିଆରେ । ମନ୍ତ୍ରୀ ନଥିବା ସମୟରେ ଅର୍ଥାତ୍ ୨୦୨୧ ମସିହାରେ ସଦର ଥାନା ବଣସିଂହ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲା । ବଣସିଂହ ଅଞ୍ଚଳରେ ଭଲ ମୂଲ୍ୟରେ ଜମି ରହିଛି । କିଣିବାକୁ ଚାହୁଥିଲେ ସେ ସେସବୁ ଜମି ଯୋଗାଡ଼ କରିଦେବ ବୋଲି କହିଥିଲା । ମନ୍ତ୍ରୀ କିଣିବାକୁ ରାଜି ହେବାରୁ, ଜମି ମାଲିକମାନଙ୍କୁ ଅଗ୍ରୀମ ଦେବାକୁ ପଡ଼ିବ କହି ୨୫ ଲକ୍ଷ ଟଙ୍କା ଉକ୍ତ ବ୍ୟକ୍ତି ଜଣକ ନେଇଯାଇଥିଲା । 

ମନ୍ତ୍ରୀ ସମ୍ପୃକ୍ତ ବ୍ୟକ୍ତିକୁ ବିଶ୍ଵାସ କରି ଟଙ୍କା ଦେଇଥିଲେ, ମାତ୍ର ଅନେକ ଦିନ ପର୍ଯ୍ୟନ୍ତ ସେ ଜମି ଯୋଗାଡ଼ କରି ପାରିନଥିଲା । ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଥିଲା । ଶେଷରେ ନିରାଶ ହୋଇ କୃଷ୍ଣ ପାତ୍ର ଟଙ୍କା ଫେରସ୍ତ ଦେଇଦେବାକୁ କହିଥିଲେ । ଅଭିଯୁକ୍ତ ୨ଟି ଚେକ୍ କୃଷ୍ଣ ପାତ୍ରଙ୍କ ନାମରେ ଦେଇଥିଲା । ତାହା ବ୍ୟାଙ୍କରେ ଜମା କରିବାରୁ ଚେକ୍ ବାଉନ୍ସ ହୋଇଯାଇଥିଲା । ମନ୍ତ୍ରୀ ରି-ପେମେଣ୍ଟ ପାଇଁ ନୋଟିସ୍ ପଠାଇଥିଲେ ସୁଧା ସେ ଦେଇନଥିଲା ।

ବାରମ୍ବାର କହିବା ପରେ ୨୦୨୪ ନଭେମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ ପାଇଁ ରାଜିନାମା ଦେଇଥିଲା । ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ନଫେରାଇ ୨୦୨୫ ଜାନୁଆରି ଶେଷ ସୁଦ୍ଧା ଫେରାଇ ଦେବାକୁ କହିଥିଲା । ଟଙ୍କା ନଦେଇ ଲୁଚକାଳି ଖେଳିଥିଲା । ଆଉ ଧରାଛୁଆଁ ଦେଇନଥିଲା । ମନ୍ତ୍ରୀ ବୁଝାବୁଝି ପରେ ଜାଣିବାକୁ ପାଇଲେ ଅଭିଯୁକ୍ତ ପାଖରେ କୌଣସି ଜମି ନାହିଁ । କିମ୍ବା କୌଣସି ମାଲିକଙ୍କ ସହ ଯୋଗାଯୋଗ କରିନଥିବା ଜାଣିବାକୁ ପାଇଥିଲେ । ସମ୍ପୃକ୍ତ ବ୍ୟକ୍ତି ନାଁରେ ମନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ତୁରନ୍ତ ଠକକୁ ଧରିବା ସହ ଟଙ୍କା ଫେରସ୍ତ ପାଇଁ ନିବେଦନ କରିଛନ୍ତି । ଟାଉନ ଥାନା ପୁଲିସ୍ ମାମଲା ରୁଜୁ କରି ଛାନ୍‌ଭିନ୍ ଚଳାଇଛି ।