କନକ ବ୍ୟୁରୋ : ଓଡ଼ିଶା ଲୋକ ଅଧିକ ଭାତ ଖାଉଥିବା ଦର୍ଶାଇ କରୋନା କାଳରୁ ଗହମ ବନ୍ଦ କରିଥିଲେ ତତ୍କାଳୀନ ବିଜେଡି ସରକାର । କିନ୍ତୁ ଏବେ ବିଜେପି ସରକାର ଚାଉଳ ସହ ଗହମ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ବିଧାନସଭାରେ ଏନେଇ ମନ୍ତ୍ରୀ ସ୍ପଷ୍ଟ କରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ମୋହର ମାରିଛନ୍ତି । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଚିଠି ପରେ ଗହମ ଦେବାକୁ ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
- ଚାଉଳ ସହ ମିଳିବ ଗହମ
- ଚାଉଳର ୨୦ ପ୍ରତିଶତ ମିଳିବ ଗହମ
- ହିତାଧିକାରୀ ନିଜ ଇଚ୍ଛାରେ ନେଇପାରିବେ ଚାଉଳ ଓ ଗହମ
- ପୂର୍ବରୁ ଚାହିଦା ପୂରଣ ପାଇଁ ଅଧିକ ଗହମ କୋଟା ମାଗିଥିଲା ଓଡ଼ିଶା
- ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ନିକଟରେ ଅନୁରୋଧ କରିଥିଲେ ଯୋଗାଣ ମନ୍ତ୍ରୀ
ଓଡ଼ିଶା ସମେତ ଆଉ ୮ ରାଜ୍ୟର ରାସନକାର୍ଡ ହିତାଧିକାରୀ ଚାଉଳ ସହ ଗହମ ପାଇବେ । ପୂର୍ବ ସରକାର ଆବଶ୍ୟକତା ନଥିବା କହି ଗହମ ବନ୍ଦ କରିଥିଲେ । କିନ୍ତୁ ଏବେ ଅଟାଦର ଆକାଶଛୁଆଁ ହୋଇଥିବା ବେଳେ ରାସନକାର୍ଡରେ ଗହମ ମିଳିବା ନିଷ୍ପତ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ହିତାଧିକାରୀ । ଅନ୍ୟପଟେ ବିଜେଡି କହିଛି, ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତି କରୁଛି ବିଜେପି ସରକାର ।
ଏବେ ବି ରାଜ୍ୟର ଅଧିକାଂଶ ଲୋକଙ୍କ ପ୍ରିୟ ଖାଦ୍ୟ ଭାତ । ତେଣୁ ରାସନକାର୍ଡରେ ଗହମ ମିଳିବାକୁ ରାଜ୍ୟବାସୀ କେତେଦୂର ଗ୍ରହଣ କରିବେ ତାହା ସବୁଠୁ ବଡ ପ୍ରଶ୍ନ ।