କନକ ବ୍ୟୁରୋ : ରାସନ୍ କାର୍ଡ ସହ ଇକେୱାଇସିକୁ ନେଇ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇକେୱାଇସି କାରଣରୁ ବହୁତ ଚୋରି ଧରା ପଡ଼ିଲା । ୨୦ ମାର୍ଚ୍ଚ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ ହଜାର ୩୨୭ ଜଣ ସଫଳ ଭାବେ e-KYC କରିଛନ୍ତି । ରାଜ୍ୟ ବାହାରେ କାମ କରୁଥିବା ୧ ଲକ୍ଷ ୩୯ ହଜାର ୪୯୩ ଜଣ e-KYC କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କ e-KYC ଯାଞ୍ଚ୍ ସରିଯାଇଛି । ୪ ଲକ୍ଷ ୩୧ ହଜାର ୮୪୬ ଜଣ ମୃତ ବା ଭୂତ ହିତାଧିକାରୀଙ୍କୁ କଟାଯାଇଛି । ୨୪ ତାରିଖ ସୁଦ୍ଧା ଏହି ଭୂତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଯାଉଥିଲା । ୯୧ ହଜାର ୨୮୦ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଧରା ପଡ଼ିଥିବା ସବୁ ଜାଲ୍ ହିତାଧିକାରୀ ବିଜେଡ଼ି ଦଳର ଲୋକ ବୋଲି କହିଲେ ମନ୍ତ୍ରୀ । ଏହା ସହ ୨୪ ମାର୍ଚ୍ଚ ୨୦୨୫ ସୁଦ୍ଧା ମୋଟ ୫ ଲକ୍ଷ ୨୩ ହଜାର ୧୨୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯାଇଥିବା କଥା କହିଛନ୍ତି ମନ୍ତ୍ରୀ । ଇଣ୍ଟରନେଟ ନଥିବା ୩୪୧ ଦୁର୍ଗମ ଜାଗାରେ କ୍ୟାମ୍ପ୍ କରି e-KYC କରାଯାଇଛି । ୧ ମାର୍ଚ୍ଚ ସୁଦ୍ଧା ନୂଆ ରାସନ କାର୍ଡ ପାଇଁ ୱେବସାଇଟ୍ ଖୋଲିଛି । ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୮୫ ହଜାର ୨୧ ଜଣ ଆବେଦନ କରିଛନ୍ତି । ଓଜନ ମାପ ଯନ୍ତ୍ରରେ ଠକୁଥିବା ୧୩୩ ଜଣ ଖିଲାପକାରୀ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୬୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଆଉ ୨୫ ଜଣଙ୍କୁ ନୋଟିସ୍ କରାଯାଇଛି ।
ଯୋଗାଣ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଧାନ ବିକ୍ରି ପ୍ରକ୍ରିୟାକୁ ସରଳ କରିଛନ୍ତି । ପ୍ରତି ଜିଲ୍ଲାର ଦାୟିତ୍ଵ ଜଣେ ମନ୍ତ୍ରୀଙ୍କୁ ଦେଇଛନ୍ତି ସରକାର । ପ୍ରତି ମଣ୍ଡିରେ ଜଣେ ଲେଖାଏଁ ନୋଡାଲ୍ ଅଫିସର ଏବଂ ୪ ରୁ ୫ ଟି ମଣ୍ଡି ପାଇଁ ସୁପରଭାଇଜର ନିଯୁକ୍ତ କରାଯାଇଛି । ଅନିୟମିତତା ବା ଦୁର୍ନୀତିରେ ଲିପ୍ତ ଥିବା ୬୧ ଜଣ ସମବାୟ ଅଫିସରଙ୍କ ଉପରେ ଆକ୍ସନ ନେଇଛନ୍ତି ସରକାର । ଏହା ସହ ୨ ଜଣ ଖାଦ୍ୟ ଯୋଗାଣ ଅଫିସରଙ୍କୁ ମଧ୍ୟ ନିଲମ୍ବନ କରିଛି ବିଭାଗ । ମିଲରମାନଙ୍କୁ ମଧ୍ୟ ଧାନ କିଣାରେ ସ୍ଵଚ୍ଛତା ରଖିବା ପାଇଁ ସତର୍କ କରାଯାଇଛି । ଏହାସହ ସରକାରଙ୍କ ନିୟମ ଉଲ୍ଲଂଘନ କରିଥିବା ୧୮ ଟି ମିଲ୍ ସିଲ୍ କରାଯାଇଛି । କିନ୍ତୁ ୨୪ ବର୍ଷ ଭିତରେ ବିଜେଡ଼ି ସରକାର କେତେ ଆକ୍ସନ ନେଇଥିଲା ବୋଲି ପ୍ରଶ୍ନ କଲେ ମନ୍ତ୍ରୀ । କାରଣ ମିଲରମାନେ ସବୁ କଂଗ୍ରେସ ନହେଲେ ବିଜେଡ଼ି ଦଳର ଲୋକ । ସେମାନଙ୍କର ଅଭ୍ୟାସ ଅଛି, କଟନି ଛଟନି କରନ୍ତି । କିନ୍ତୁ ଆମ ସରକାର କଟନି ଛଟନି ବନ୍ଦ କରିବାରେ ସଫଳ ହୋଇଛି ।
/kanak/media/media_files/2025/03/27/pFfsB11Jtd3L18OfwvQB.jpg)
ରାସନ୍ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ରୋଜଗାର କମ୍ ଥିବା ଲୋକଙ୍କ ରାସନ କାର୍ଡ କଟିବ ନାହିଁ । କେବଳ ବଡ଼ ଚାକିରି କରିଥିବା ଲୋକଙ୍କ କାର୍ଡ କଟିବ । ମନ୍ତ୍ରୀଙ୍କ ଶିକ୍ଷକ ସାଙ୍ଗ ବି ୭୦ ହଜାର ଟଙ୍କା ଦରମା ପାଇ କାର୍ଡ ରଖିଥିଲେ । ସେ ମଧ୍ୟ କାର୍ଡ ଫେରାଇଛନ୍ତି । ତେଣୁ ବିଜେଡ଼ି ସରକାର ଅମଳରେ ସବୁ ଢିଲା ଥିଲା । ଢେଙ୍କାନାଳ ଜିଲ୍ଲାରେ ମିଲରମାନଙ୍କୁ ଆକ୍ସନର ଚେତାବନୀ ଦେଲା ପରେ ସେମାନେ ଧାନ କିଣିଲେ । ଯୋଗାଣ ବିଭାଗକୁ ପ୍ରଦୂଷିତ କରିଥିଲେ ପୂର୍ବ ସରକାର । ତେଣୁ ବୁଲି ବୁଲି ଆକ୍ସନ ନେଇ ନେଇ ଦିନ ଚାଲିଗଲା । ପୂର୍ବ ସରକାର କେତେ ଆକ୍ସନ ନେଇଛନ୍ତି, ବୋଲି ପ୍ରଶ୍ନ କଲେ ଯୋଗାଣ ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୯୬ ଲକ୍ଷ ୨୨ ହଜାର ୪୩୧ ପରିବାରର ୩ କୋଟି ୨୬ ଲକ୍ଷ ୭ ହାଜର ୯୭୩ ଲୋକ ଚାଉଳ ପାଉଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୩୩ ହଜାର ୧୧ ପରିବାରର ୪ ଲକ୍ଷ ୨୦ ହଜାର ୯୦୭ ସଦସ୍ୟଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି ସରକାର । ପ୍ରାୟ ୧୩ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ।