Fog Dangerious Photograph: (Kanak News)
କନକ ବ୍ୟୁରୋ: ଶୀତ ଦିନର ସକାଳ, ରାସ୍ତା ଉପରେ କୁହୁଡ଼ିର ଧଳା ଚାଦର ବିଛେଇ ହୋଇଛି ଏବଂ ସାମ୍ନାର କିଛି ବି ସ୍ପଷ୍ଟ ଦେଖାଯାଉ ନାହିଁ । ଏଭଳି ପରିସ୍ଥିତିରେ ଗାଡ଼ି ଚଳାଇବା ଆଖିରେ ପଟି ବାନ୍ଧି ତୀର ମାରିବା ସହ ସମାନ । ଏବେ ତୀର ଲକ୍ଷ୍ୟଭେଦ କରିବ କି ନାହିଁ, ତାହା ଭାଗ୍ୟ ଉପରେ ନିର୍ଭର କରେ । କିନ୍ତୁ ଭାଗ୍ୟ ଯେ ସବୁବେଳେ ସାଥ୍ ଦେବ, ତାହା ଜରୁରୀ ନୁହେଁ । ସମ୍ପ୍ରତି ଉତ୍ତର ଭାରତ କୁହୁଡ଼ିର ଧଳା ଚାଦର ଘେରରେ ରହିଛି । ହାଇୱେଠାରୁ ଆରମ୍ଭ କରି ଏକ୍ସପ୍ରେସୱେ ପର୍ଯ୍ୟନ୍ତ ସବୁଆଡ଼େ କୁହୁଡ଼ିର ଏପରି ଏକ ମାୟାଜାଲ ବିଛେଇ ହୋଇଛି, ଯାହାର ସେପାରିରେ ଯେମିତି ମୃତ୍ୟୁ ଠିଆ ହୋଇଛି ।
ଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣାର ଅନେକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି । ତେଣୁ କୁହୁଡ଼ିରେ ଗାଡ଼ି ଚଳାଇବା କୌଣସି ବାହାଦୁରୀ ନୁହେଁ, ବରଂ ଏହା ଆପଣଙ୍କ ବୁଦ୍ଧିମାନର ପରୀକ୍ଷା । ପ୍ରଥମ ପରାମର୍ଶ ହେଉଛି, କୁହୁଡ଼ି ସମୟରେ ନିଜସ୍ୱ ଗାଡ଼ିରେ ଦୂରଯାତ୍ରାକୁ ଏଡ଼ାଇ ଦିଅନ୍ତୁ । ଯଦି ଗାଡ଼ି ଚଳାଇବା ଅତ୍ୟନ୍ତ ଜରୁରୀ, ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ନଜର ପକାଇବା କୁହୁଡ଼ିରେ ଗାଡ଼ି ଚଲାଇଲା ବେଳେ କେଉଁ ଦିଗ ପ୍ରତି ଧ୍ୟାନଦେବେ-
ହେଡଲାଇଟ୍ ଭିଜିବିଲିଟି
କୁହୁଡ଼ିରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଭିଜିବିଲିଟି । ସାଧାରଣ ହାଇ ବିମ୍ ହେଡଲାଇଟ୍ ପ୍ରଖର ଆଲୋକ ଦେଇଥାଏ ସତ, କିନ୍ତୁ କୁହୁଡ଼ିରେ ଏହି ଆଲୋକ ଏକ କାନ୍ଥ ପରି ଦେଖାଯାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ବୁଝିଲେ, ହାଇ ବିମ୍ ହେଡଲାଇଟ୍ ବ୍ୟବହାର କଲେ କୁହୁଡ଼ିରେ ଥିବା ଜଳକଣା ସହ ଆଲୋକ ଧକ୍କା ହୋଇ ପୁଣି ଆଖିକୁ ଫେରିଆସେ ଯାହାକୁ ବ୍ୟାକ୍-ସ୍କାଟର୍ କୁହାଯାଏ, ଫଳରେ ଏକ ଧଳା କାନ୍ଥ ଭଳି ଆକୃତି ସୃଷ୍ଟି ହୁଏ ଏବଂ ସାମ୍ନାକୁ ଦେଖିବା ଆହୁରି କଷ୍ଟକର ହୋଇପଡ଼େ ।
ଏଭଳି ସ୍ଥିତିରେ ଫଗ୍ ଲ୍ୟାମ୍ପ୍ କିମ୍ବା ଲୋ ବିମ୍ ହେଡଲାଇଟ୍ ଅଧିକ ପ୍ରଭାବଶାଳୀ ହୋଇଥାଏ । ଫଗ୍ ଲ୍ୟାମ୍ପ୍ ରାସ୍ତାର ନିକଟବର୍ତ୍ତୀ ଏବଂ ଚଉଡ଼ା ଆଙ୍ଗେଲରେ ଆଲୋକ ପକାଇଥାଏ, ଯାହାଦ୍ୱାରା ରାସ୍ତା, ଲେନ୍ ମାର୍କିଂ ଏବଂ କଡ଼ର ଅନ୍ଦାଜ ଭଲଭାବେ ମିଳିଥାଏ । ଯଦି ଆପଣଙ୍କ କାରରେ ହଳଦିଆ ଫଗ୍ ଲ୍ୟାମ୍ପ୍ ଅଛି, ତେବେ ତାହା ଆହୁରି ଭଲ, କାରଣ ହଳଦିଆ ଆଲୋକ କୁହୁଡ଼ିକୁ ଭେଦ କରିବାରେ ଅଧିକ ସହାୟକ ହୁଏ ଏବଂ ଆଖି ଉପରେ ଚାପ ପକାଏ ନାହିଁ।
ଗତି ସବୁଠାରୁ ବଡ଼ ଶତ୍ରୁ
କୁହୁଡ଼ିରେ ଅଧିକ ବେଗରେ ଗାଡ଼ି ଚଳାଇବା ବିପଦକୁ ନିମନ୍ତ୍ରଣ କରିବା ସହ ସମାନ । ଭିଜିବିଲିଟି କମ୍ ଥିବାରୁ ସାମ୍ନାରେ ଛିଡ଼ା ହୋଇଥିବା ଗାଡ଼ି କିମ୍ବା କୌଣସି ପଶୁ ବହୁତ ବିଳମ୍ବରେ ଦେଖାଯାନ୍ତି, ଯାହାଫଳରେ ବ୍ରେକ୍ ମାରିବାକୁ ସମୟ ମିଳେନାହିଁ । ତେଣୁ ସବୁବେଳେ ସ୍ୱଳ୍ପ ଗତିରେ ଗାଡ଼ି ଚଲାନ୍ତୁ ।
ଆହୁରି ପଢ଼ନ୍ତୁ... ହାପି ବାର୍ଥ ଡେ’ ହିରୋ ନମ୍ୱର ୧: କମେଡିରୁ ଆକ୍ସନ ସବୁଥିରେ ସେ ପରଫେକ୍ଟ
ଟେଲଗେଟିଂ ବିପଜ୍ଜନକ
ଅନେକ ଡ୍ରାଇଭର ଆଗରେ ଯାଉଥିବା ଗାଡ଼ିର ପଛ ଲାଇଟ୍ ଦେଖି ତା'ର ଅତି ନିକଟରେ ଗାଡ଼ି ଚଲାନ୍ତି । ସେମାନଙ୍କୁ ଲାଗେ ଯେ ଏହାଦ୍ୱାରା ସେମାନେ ରାସ୍ତା ଦେଖିପାରିବେ । କିନ୍ତୁ ଯଦି ଆଗ ଗାଡ଼ି ହଠାତ୍ ବ୍ରେକ୍ ମାରେ, ତେବେ ଦୁର୍ଘଟଣା ନିଶ୍ଚିତ । କୁହୁଡ଼ି ସମୟରେ ଆଗ ଗାଡ଼ିଠାରୁ ଯଥେଷ୍ଟ ଦୂରତା ବଜାୟ ରଖନ୍ତୁ।
ହଜାର୍ଡ ଲାଇଟର ଭୁଲ୍ ବ୍ୟବହାର
କୁହୁଡ଼ି ସମୟରେ କିଛି ଲୋକ ଗାଡ଼ି ଚଳାଇଲା ବେଳେ ଚାରିଟିଯାକ ଇଣ୍ଡିକେଟର ଅନ୍ କରିଦିଅନ୍ତି । ଏହା ଅତ୍ୟନ୍ତ ବିପଜ୍ଜନକ । ଏହାଦ୍ୱାରା ପଛରେ ଆସୁଥିବା ଡ୍ରାଇଭର ବୁଝିପାରନ୍ତି ନାହିଁ ଯେ ଆପଣ ଲେନ୍ ବଦଳାଉଛନ୍ତି କିମ୍ବା ସିଧା ଯାଉଛନ୍ତି । ହଜାର୍ଡ ଲାଇଟ୍ କେବଳ ସେତେବେଳେ ବ୍ୟବହାର କରନ୍ତୁ ଯେତେବେଳେ ଗାଡ଼ି ଖରାପ ହୋଇ ଛିଡ଼ା ହୋଇଥାଏ କିମ୍ବା ଆପଣ ଜରୁରୀ ପରିସ୍ଥିତିରେ ରାସ୍ତା କଡ଼ରେ ରହିଥାନ୍ତି ।
ଅତ୍ୟଧିକ ବ୍ରେକ୍ ଏବଂ ବିପଦପୂର୍ଣ୍ଣ ମୋଡ଼ରୁ ରକ୍ଷା ପାଆନ୍ତୁ
କୁହୁଡ଼ିରେ ହଠାତ୍ ବ୍ରେକ୍ ମାରିବା କିମ୍ବା ତୀବ୍ର ମୋଡ଼ ନେବା ବିପଦପୂର୍ଣ୍ଣ। ସବୁବେଳେ ଧୀରେ ଧୀରେ ବ୍ରେକ୍ ପ୍ରୟୋଗ କରନ୍ତୁ ଏବଂ ମୋଡ଼ ନେବା ପୂର୍ବରୁ ଇଣ୍ଡିକେଟର ବ୍ୟବହାର କରନ୍ତୁ ।
ଟାୟାର୍ ଉପରେ ନଜର
ଶୀତ ଦିନେ ତାପମାତ୍ରା କମିବା ଯୋଗୁଁ ଟାୟାର୍ ପ୍ରେସର୍ ଆପେ ଆପେ କମିଯାଏ । କମ୍ ଟାୟାର୍ ପ୍ରେସର୍ ବ୍ରେକିଂ ସମୟରେ ଗାଡ଼ିର ସନ୍ତୁଳନ ବିଗାଡ଼ି ଦେଇପାରେ । ତେଣୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟାୟାର୍ ଯାଞ୍ଚ କରିବା ଉଚିତ୍ ।
ଧୈର୍ଯ୍ୟ ହିଁ ସବୁଠାରୁ ବଡ଼ ସୁରକ୍ଷା
କୁହୁଡ଼ିରେ ଗାଡ଼ି ଚଳାଇବା ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଧୈର୍ଯ୍ୟ । ଶୀଘ୍ର ପହଞ୍ଚିବାର ବ୍ୟଗ୍ରତା ଅନେକ ସମୟରେ ଦୁର୍ଘଟଣାର କାରଣ ସାଜେ । ଯଦି କୁହୁଡ଼ି ଅତ୍ୟଧିକ ଘନ ଥାଏ, ତେବେ କୌଣସି ନିରାପଦ ସ୍ଥାନରେ ଗାଡ଼ି ରଖି କୁହୁଡ଼ି କମିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ମନେରଖନ୍ତୁ, ଗାଡ଼ି ବିଳମ୍ବରେ ପହଞ୍ଚିଲେ ଚଳିବ, କିନ୍ତୁ ସୁରକ୍ଷିତ ଭାବେ ପହଞ୍ଚିବା ହିଁ ସବୁଠାରୁ ବଡ଼ କଥା ।
Follow Us