କନକବ୍ୟୁରୋ : ନିଜେ ପେଟ୍ରୋଲ ଆଣିଥିଲେ ଏଫ୍ଏମ୍ ପୀଡ଼ିତା। ସାମ୍ନାକୁ ଆସିଲା ସିସିଟିଭି ଚିତ୍ର । ଆତ୍ମାହୁତି ପୂର୍ବୁ ପୀଡିତା ନିଜେ ସାଇକେଲରେ ଯାଇ ପେଟ୍ରୋଲ ଆଣିଥିଲେ। ଏହି ଭିଡିଓ ଏବେ ଏଫ୍ଏମ୍ ଛାତ୍ରୀ ଆତ୍ମାହୁତି ଘଟଣାରେ ନୂଆ ମୋଡ଼ ଆଣିଛି । ସିସିଟିଭି ଦୃଶ୍ୟରୁ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ପୀଡ଼ିତା ନିଜେ ହିଁ ପେଟ୍ରୋଲ ଆଣିବାକୁ ଯାଇଥିଲେ ।
ସେପଟେ ଏ ଘଟଣାରେ ଆଉ ୨ ଜଣଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି । ୨୩ ଦିନ ପରେ ଦୁଇ ଜଣ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଛାତ୍ରୀ ମୃତ୍ୟୁ ଘଟଣା ଷଡଯନ୍ତ୍ର ଅଭିଯୋଗରେ ଗିରଫ ହେଲେ ଦୁଇ ଛାତ୍ର। ଗିରଫ ଦୁଇ ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ । ଶୁଭ୍ର ସମ୍ବିତ ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି ।
ଜ୍ୟୋତିପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ । ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢେଇ କରୁଥିବା ବେଳେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ କିଛି ଛାତ୍ର । ନିକଟରେ ମୋବାଇଲ ଭିଡ଼ିଓ କରିବା ସହିତ ଆତ୍ମହତ୍ୟା ଉଦ୍ୟମ ପାଇଁ ସହଯୋଗ କରିଥିବା ଅଭିଯୋଗରେ ଦୁଇ ଛାତ୍ରଙ୍କୁ ଗିରଫ କରାଯାଇଛି ।
ଗତ ଜୁଲାଇ ୧୨ ତାରିଖରେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯ୍ୟାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଆତ୍ମାହୁତି ଉଦ୍ୟମ କରିଥିଲେ । ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁ ଏବଂ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଗିରଫ ହୋଇ ଜେଲରେ ଅଛନ୍ତି ।