କନକ ବ୍ୟୁରୋ : ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ଏନେଇ ବିିଭିନ୍ନ ଜାତୀୟ ଗଣମାଧ୍ୟମରେ ଅର୍ଥମନ୍ତ୍ରୀ ଆଲୋଚନା କରୁଛନ୍ତି । ବଜେଟରେ ପାରିତ ହୋଇଥିବା ଅନୁଦାନ ରାଶି, ଇନକମ୍ ଟାକ୍ସ ସ୍ଲାବ ଇତ୍ୟାଦି ଗୋଟି ଗୋଟି କରି ପ୍ରଶ୍ନର ଉତ୍ତର ଦେଉଛନ୍ତି ।
ସେପଟେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକା ବିଭିନ୍ନ ଦେଶ ଉପରେ ଏବେ ଟାରିଫ୍ ଲଗାଇବାରେ ଲାଗିଛି । ଯଦି ଭାରତ ଉପରେ ଆମେରିକା ଟାରିଫ ଲଗାଏ ତେବେ ଭାରତ କ'ଣ କରିବ । ଏଭଳି ପ୍ରଶ୍ନର ଉତ୍ତର ରଖି ଅର୍ଥମନ୍ତ୍ରୀ କହିଛନ୍ତି କି, ଆମେ ଏହା ଉପରେ ନଜର ରଖିଛୁ, ଯଦି ଆମେରିକା ଏଭଳି କରେ ତେବେ କ'ଣ କରିହେବ ତା ଉପରେ ବିଚାର କରାଯିବ ଓ ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।
ଅର୍ଥମନ୍ତ୍ରୀ କଷ୍ଟମ ଡ୍ୟୁଟିକୁ ନେଇ କହିଛନ୍ତି କି, ଆମେ ଏହା ଉପରେ ବହୁତ କାମ କରିଛୁ । ଯେଉଁ ସାମଗ୍ରୀ ଆମଦାନୀ ଉପରେ ଘରୋଇ ଉଦ୍ୟୋଗ ପ୍ରଭାବିତ ହେବ ତାହା ଉପରେ ଆମଦାନୀ ଶ୍ଳୁକ କମାଯାଇପାରିବ ନାହିଁ । ହେଲେ ଯେଉଁ ସାମଗ୍ରୀ ଆମଦେଶରେ ଉତ୍ପାଦନ ହେଉନାହିଁ ଅର୍ଥାତ ଯେଉଁ ସାମଗ୍ରୀ ଉପରେ ଭାରତ ଅନ୍ୟ ଦେଶମାନଙ୍କ ଉପରେ ନିର୍ଭର କରୁଛି ତାହା ଉପରେ ଆମଦାନୀ ଶ୍ଳୁକ କମାଇବାନେଇ ମନ୍ତ୍ରଣାଳୟ ବିଚାର କରୁଥିବା କଥା ସେ କହିଛନ୍ତି ।
ସେପଟେ ଭାରତୀୟ ବଜାର ଉପରେ ନିବେଶକମାନେ କାହିଁକି ଭରସା କରିପାରୁନାହାଁନ୍ତି ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି, ଆମ ବଜାର ମଜବୁତ ରହିଛି, ଘରୋଇ ଅଭିବୃଦ୍ଧି ବି ସଶକ୍ତ ରହିଛି । ଏଫଡିଆଇ ତଳକୁ ଖସିବା ଫଳରେ ଭାରତୀୟ ବଜାର ଉପରେ ନିବେଶକ ଭରସା କରିପାରୁନାହାଁନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।