କନକ ବ୍ୟୁରୋ: ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଆଜି ଜେଲ୍ ଫେରିବେ ସମୀର ସାହୁ । କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ପ୍ରଫେସର ସମୀର ସାହୁଙ୍କୁ ମାରାଥନ ଜେରା କରିଛି । ରିମାଣ୍ଡର ଦ୍ୱିତୀୟ ଦିନରେ ଆତ୍ମାହୁତି ପଛର ରହସ୍ୟ ଓ ଛାତ୍ରୀଙ୍କ ରେକର୍ଡ ହୋଇଥିବା ଭିଡିଓ ବାର୍ତ୍ତାଳପ ସମ୍ପର୍କରେ ପଚରାଉଚରା କରାଯାଇଥିଲା । ସମୀରଙ୍କୁ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ଦ୍ୱାରା ଏକ ଟିମ୍ ଗଠନ କରାଯାଇଛି । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଗଷ୍ଟ ୧ ତାରିଖରେ ସମୀରଙ୍କ ଜାମିନ୍ ଆବେଦନ କରାଯାଇଥିଲା । କିନ୍ତୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାରେ କେସ୍ ଡାଏରି ଦାଖଲ କରାଯାଇନଥିଲା । ଏଥିପାଇଁ ଜାମିନ ଆବେଦନ ଉପରେ ଶୁଣାଣି ହୋଇ ନଥିଲା । ସୋମବାର ସମୀରଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା । ଅଦାଲତ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଥିଲେ । ତିନି ଦିନିଆ ରିମାଣ୍ଡର ଗତକାଲି ଥିଲା ଦ୍ୱିତୀୟ ଦିନ। ଆଜି ରିମାଣ୍ଡ ଅବଧି ଶେଷ ହେବାକୁ ଯାଉଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ସମୀରଙ୍କୁ କୋର୍ଟରେ ହାଜର କରିବା ପରେ ଜେଲ୍ ହାଜତକୁ ପଠାଇ ଦିଆଯିବ। ଅନ୍ୟପଟେ ଛାତ୍ରୀଙ୍କ ଆତ୍ମାହୁତି ଭିଡିଓ ରେକର୍ଡ ହୋଇଥିବା ମୋବାଇଲ୍ ଓ କଲେଜ୍ କ୍ୟାମ୍ପସ ସହିତ ପେଟ୍ରୋଲ ପମ୍ପରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ରସୁଲଗଡ଼ ଫରେନସିକ ସାଇନ୍ସ ଲାବୋରେଟୋରିରେ ଅନୁଧ୍ୟାନ ପରେ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି । ଆତ୍ମାହୁତି ପୂର୍ବରୁ ଓ ସମୟରେ ଛାତ୍ରୀ ଯେଉଁ ସବୁ କଥା କହିଥିଲେ, ଏହା ଭିଡିଓରେ ରେକର୍ଡ ହୋଇଛି । କ୍ରାଇମବ୍ରାଞ୍ଚ ଏହି କଥାବାର୍ତ୍ତାକୁ ଅନୁଧ୍ୟାନ କରିବା ପରେ ସମୀରଙ୍କୁ ଜେରା କରିଥିବା ସୂଚନା ମିଳିଛି ।