କନକ ବ୍ୟୁରୋ: ମୁଁ ସୌମ୍ୟାଶ୍ରୀ କହୁଛି । ଆଜି ଏ ଦୁନିଆ ଆଉ ନିଜର ଲାଗିଲାନି । ମୁଁ ତ ଜୁଲାଇ ୧୨ ତାରିଖରେ ହିଁ ମରି ଯାଇଥିଲି । ହଁ... ଖାଲି ଏ ଶରୀର ପାଉଁଶ ହେବା ବାକିଥିଲା । ମୁଁ ନିରବ ଥିଲି, ହେଲେ ମୋତେ ସବୁ ଶୁଣା ଯାଉଥିଲା । ୬ ମାସ ହେଲା ନ୍ୟାୟ ପାଇଁ ଚିତ୍କାର କରୁଥିଲି। କିନ୍ତୁ ମୋ ଭାଗ୍ୟର ବିଡ଼ମ୍ବନା ଦେଖନ୍ତୁ ନା... ଆଜି ମୁଁ ନିରବ ଆଉ ମୋ ପାଇଁ ସମସ୍ତେ ନ୍ୟାୟର ଚିତ୍କାର କରୁଛନ୍ତି । କିନ୍ତୁ ବାସ୍ତବରେ ମୁଁ ଏଭଳି ତମାମ୍‌ ଭାବନାରୁ ମୁକ୍ତ ହୋଇ ସାରିଥିଲି । ବାବା... ମୋ ମନ କଥା ଏବେ ବି ବୁଝି ପାରୁଥିଲେ । ହାତ ଯୋଡ଼ି କହୁଥିଲେ ମୋ ଝିଅ ପାଇଁ ପ୍ରାର୍ଥନା କରନ୍ତୁ । ମୋ ଝିଅ ବଞ୍ଚିଯାଉ । ସତ କହିବାକୁ ଗଲେ ମୁଁ ଏମିତି ଯିବାକୁ ଚାହୁଁନଥିଲି । ଏଫ୍‌ଏମ୍‌ କଲେଜକୁ ମୁଁ ଅନେକ ସ୍ୱପ୍ନ ନେଇ ଆସିଥିଲି । ହେଲେ ମୋ ସହ ମୋର ସେ ସବୁ ସ୍ୱପ୍ନ ଜଳିଗଲା । ଲୋକେ କହୁଛନ୍ତି ମୁଁ ହାରିଗଲି । କିନ୍ତୁ ଆପଣ ଭାବିଲେ ମୁଁ କଣ ଲଢ଼ିନି ? ଏକାକୀ ମୁଁ ମୋର ଲଢ଼େଇ ଲଢ଼ି ଚାଲିଥିଲି । ଶେଷରେ ଆଉ ପାରିଲିନି । ଜୀବନ ଯୁଦ୍ଧରେ ବି ହାରଗଲି ।

Advertisment

ଖାଲି ମୋ ବାବାଙ୍କୁ ନେଇ ମନରେ ଟିକେ ଅବସୋସ ରହିଗଲା । ରାତିରେ ଜୀବନ ଯିବାପରେ । ଜୁଲାଇ ୧୫ ତାରିଖ ମଙ୍ଗଳବାର ଭୋରୁ ମୋର ଜୀବହୀନ ଶରୀରକୁ ମୋ ଘରକୁ ନେଇଯିବାକୁ ବ୍ୟବସ୍ଥା କରାଯାଉଥିଲା । ହଁ, ସେଇ ଘର... ଯେଉଁଠି ଦିନେ ମୁଁ ହସିଖେଳି ବଡ଼ ହେଇଥିଲି, ଦେଖିଥିଲି ଅନେକ ସ୍ୱପ୍ନ । ସେଦିନ କଲେଜ୍‌ରୁ ଦେଢ଼ ଘଣ୍ଟାରେ ଘରେ ପହଞ୍ଚିଥାଆନ୍ତି । କିନ୍ତୁ ସ୍ଥିତି ଏମିତି ହେଲା ଯେ । ସେଇ ଘରେ ପହଞ୍ଚିବାକୁ ମୋତେ ୪ ଦିନ ଲାଗିଗଲା । ଭଗବାନ ନକରନ୍ତୁ କୌଣସି ମୋର ଭଉଣୀ ଏମିତି ଅବସ୍ଥାରେ ଘରେ ପହଞ୍ଚନ୍ତୁ । ଯେମିତି ମୁଁ ପହଞ୍ଚିଲି । ଏ ସେଇ ଘର ଯେଉଁଠୁ କେବେ ମୋର ପାଲିଙ୍କି ଉଠି ଥାଆନ୍ତା । ଆଜି କୋକେଇ ଉଠିଲା । ମୁଁ ଶେଷ ଥର ପାଇଁ ଆମ ଘରକୁ ଆସିଥିଲି । ଗାଁରେ ପହଞ୍ଚି ପ୍ରଥମେ ମୋତେ ମୋ ବୋଉର ଚେହେରା ଦେଖାଗଲା । ବାହୁନି ବାହୁନି କାନ୍ଦୁଥାଏ, ବେହୋସ ହୋଇଯାଉଥାଏ । ମୋ ବୁଢ଼ୀ ମାଆ ଆଖିରେ ଲୁହ ଓ ଛାତିରେ କୋହ । ହାଏରେ ବିଧାତା । ଯାଉ ଯାଉ ଏମାନଙ୍କୁ କନ୍ଦେଇ ଦେଇଗଲି । ସେ ପଲିଥିନ ଭିତରୁ ମୁଁ ଗୋଟି ଗୋଟି କରି ସମସ୍ତଙ୍କ ଚେହେରା ଦେଖୁଥିଲି । ସମସ୍ତଙ୍କ କାନ୍ଦକାନ୍ଦ ଚେହେରା ।

ଏସବୁ ଭିତରେ ସମସ୍ତେ ମୋର ସେଇ ମର ଶରୀରଟା ପାଇଁ ଚିନ୍ତିତ ଥିଲେ । ମୋର ସେ ଜୀବନ ହୀନ ଶରୀରର ସୁରକ୍ଷାରେ ଲାଗିଥିଲେ । ଏ ସୁରକ୍ଷା ମୋତେ  ୬ ମାସ ପୂର୍ବର ମିଳି ଯାଇଥାଆନ୍ତା କି । ମଙ୍ଗଳବାର ଭୋରୁ ମୋର ମୃତଦେହର ପୋଷ୍ଟମର୍ଟମ୍‌ ହେବା ସହିତ ମୋଁ ଗାଁକୁ ନିଆଯାଉଥିଲା । ରାତିରୁ ହିଁ ରାଜଧାନୀରୁ ବାହାରି ଆସିଥିଲି । ଏହା ହିଁ ମୋ ପାଇଁ ଠିକ୍‌ ଥିଲା ବୋଧେ । ମୋ ମୃତଦେହ ସହ ବାହାରିଥିଲା ଏକ କାର୍‌କେଡ୍‌ । ଆଜି ବଡ଼ବଡ଼ ନେତା ମନ୍ତ୍ରୀ ମୋ ଅପେକ୍ଷା କରିଥିଲେ, ଯାହାଙ୍କୁ ହୁଏତ ମୁଁ ବଞ୍ଚି ଥାଉ ଥାଉ ଭେଟି ପାରିନଥାଆନ୍ତି । ହେ... ମୁଁ ପୁଣି ସ୍ୱପ୍ନ ଦେଖିବା ଆରମ୍ଭ କରିଦେଲି । ଏମିତି ସ୍ୱପ୍ନ ଦେଖିବା ମୋତେ ଆଉ ଅନୁମତି ନାହିଁ । ମୁଁ ତ ଏ ଦୁନିଆର ହିଁ ନୁହେଁ । ମୁଁ ଯେଉଁ ସବୁ ବାଟ ଦେଇ ଯାଉଥିଲି । ସେ ବାଟକୁ ବି ଭଲ ଭାବରେ ଚିହ୍ନିଥିଲି । ମୋତେ ଏକ ଶୂନ୍‌ସାନ୍ ଜାଗାକୁ ନେଇ ଗଲେ । ସେଇଠି ଏକ ଜୁଇ ସଜା ହୋଇ ରହିଥିଲା । ଏ ସବୁ ମୋ ପାଇଁ ଥିଲା, କେବଳ ମୋ ପାଇଁ । ବାପା ଓ ଭାଇ ମୋତେ ଜୁଇ ଉପରେ ଶୁଆଇ ଦେଇଥିଲେ । ମୁଁ ଏବେ ବି ସେମାନଙ୍କୁ ଦେଖୁଥିଲି । ମୁଁ ମୋ ବାବାଙ୍କ ସୁନାଝିଅ ଥିଲି ନା... ଆଉ ଭାଇର ସୁନା ଭଉଣୀ । ଏଥର ମୁଁ ଯାଉଛି, ଆଉ ଏକ ଦୁନିଆକୁ । ଅଲବିଦା...