FM College Girl’s Suicide Attempt Photograph: (KANAK NEWS)
କନକ ବ୍ୟୁରୋ: ବାଲେଶ୍ବର ଫକୀରମୋହନ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଫୁସଫୁସ ଓ କିଡନି ପ୍ରଭାବିତ ହୋଇଛି । ପୀଡିତାଙ୍କ ସାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆଜି ଏମ୍ସରେ ଭିଡ଼ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଖୋଦ୍ ଏମ୍ସ ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ଓ ଛାତ୍ରୀଙ୍କ ପରିବାରକୁ ସ୍ବାନ୍ତନା ଦେଇଛନ୍ତି ।
ତେବେ ଦିନେ ଅନ୍ୟମାନଙ୍କୁ ସାହାସୀ ହେବାକୁ ଶିକ୍ଷା ଦେଉଥିଲେ ଛାତ୍ରୀଜଣକ । ଅଘଟଣ ଘଟିଲେ କେମିତି ମୁକାବିଲା କରିବେ ସେଥିପାଇଁ ପ୍ରଶିକ୍ଷଣ ଦେଉଥିଲେ, କିନ୍ତୁ ବିଡ଼ମ୍ବନାର ବିଷୟ ଅସହାୟ ହୋଇ ଆତ୍ମାହୁତି ଉଦ୍ୟମ କରିବା ପରେ ହସ୍ପିଟାଲ ବେଡରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
- ୨୪ ଘଣ୍ଟା ଗୁରୁତ୍ବପୂର୍ଣ୍ଣ
- ଦିଲ୍ଲୀ ଏମ୍ସକୁ କରାଯାଇପାରେ ଏୟାରଲିଫ୍ଟ୍
ଏମ୍ସ ବର୍ଣ୍ଣ ୱାର୍ଡରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ପୀଡିତା। ପୀଡ଼ିତାଙ୍କ ଶରୀରର ୯୫% ପୋଡ଼ିଯାଇଛି । ଏମ୍ସ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ଚିକିତ୍ସାର ତଦାରଖ କରୁଛନ୍ତି। ପୀଡ଼ିତାଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି । ପୀଡ଼ିତାଙ୍କ ଫୁସଫୁସ ଓ କିଡନି ପ୍ରଭାବିତ ହୋଇଛି । ଆବଶ୍ୟକ ହେଲେ ଡାଇଲିସିସ୍ ଆରମ୍ଭ କରାଯିବ ।
- ଏମ୍ସରେ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
- ପରିବାରକୁ ଭେଟିଲେ, ସାନ୍ତ୍ୱନା ଦେଲେ
ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଧା ଭୁବନେଶ୍ବର ଏମ୍ସ ଯାଇ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିବୁଝିଛନ୍ତି । ଏମ୍ସର ନିର୍ଦ୍ଦେଶକ ଏବଂ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହିତ ଆଲୋଚନା କରିଛନ୍ତି । ପୀଡ଼ିତାଙ୍କ ବାପା ମା’ଙ୍କୁ ଭେଟି ସ୍ବାନ୍ତନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ତଦନ୍ତ ଆରମ୍ଭ ହୋଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ । ଭବିଷ୍ୟତରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ। ଏହାସହ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ବାପା ମା’ଙ୍କୁ ଭେଟି ସାନ୍ତ୍ୱନା ଦେବା ସହିତ ସ୍ୱାସ୍ଥ୍ୟାବସ୍ଥାରେ ଟିକେ ଉନ୍ନତି ଆସିଲେ ଆବଶ୍ୟକ ହେଲେ ବିମାନ ଯୋଗେ ଛାତ୍ରୀଜଣଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ।
- କାହିଁକି ଚରମ ପଦକ୍ଷେପ ନେଲେ ଛାତ୍ରୀ ?
- ଫକୀରମୋହନ କଲେଜରେ କମିଟିର ଛାନ୍ଭିନ୍
ସେପଟେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମର ତଦନ୍ତ କରୁଥିବା ୩ ଜଣିଆ କମିଟି ଆଜି ଫକୀରମୋହନ ମହାବିଦ୍ୟାଳୟରେ ଛାନଭିନ୍ ଆରମ୍ଭ କରିଛି । ଗତକାଲି ସରକାର ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥିଲେ । ଏହି କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ।
ଅନ୍ୟପଟେ ଏହି ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କରିଛି ଜାତୀୟ ମହିଳା କମିସନ । ଜାତୀୟ ମହିଳା କମିସନ ଅଧ୍ୟକ୍ଷା ବିଜୟା ରାହତକର ଘଟଣାକୁ ନିନ୍ଦା କରିଛନ୍ତି । ପୁଲିସ ଡିଜି ଘଟଣାର ସଠିକ ଅନୁସନ୍ଧାନ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତା’ର ରିପୋର୍ଟ ୩ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
Follow Us