କନକ ବ୍ୟୁରୋ: ବର୍ଷା ଋତୁରେ ଅଧା ଓଡ଼ିଶାକୁ ଘାଣ୍ଟୁଛି ଜ୍ୱର । ପ୍ରତି ଘରେ ଜଣେ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ବିଶେଷକରି ଇନ୍ଫ୍ଲୁଏଞ୍ଜା-ଏ ଭୂତାଣୁ ଯୋଗୁଁ ଏହି ଜ୍ୱର ବ୍ୟାପୁଛି । ବର୍ଷା ଋତୁରେ ଜ୍ବରରେ ଜଡ଼ସଡ଼ ହେଉଛି ଓଡ଼ିଶା । ଉପକୂଳରୁ ଉପାନ୍ତ ପ୍ରତିଟି ଘରେ ଜ୍ବର, ଥଣ୍ଡା ଓ କାଶରେ ଖୁଁ ଖୁଁ ହେଉଛନ୍ତି । ଜ୍ୱର ଛାଡ଼ିବାକୁ ସମୟ ଲାଗୁଛି । ଜ୍ୱର ଛାଡ଼ିଲେ ବି ଦୁଇ ସପ୍ତାହ ପର୍ଯ୍ୟନ୍ତ ଦୁର୍ବଳ ଲାଗୁଛି । ଦେହ ହାତ ଘୋଳାବିନ୍ଧା ଯାଉନି । ଜ୍ୱର ଛାଡ଼ୁନଥିବାରୁ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ବଢ଼ୁଛି ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ସ୍ୱାଇନ୍ ଫ୍ଲୁ’ର ସବ୍ଭାରିଆଣ୍ଟ ଇନ୍ଫ୍ଲୁଏଞ୍ଜା-ଏ ଯୋଗୁଁ ଜ୍ୱର ବ୍ୟାପୁଛି । ଇନ୍ଫ୍ଲୁଏଞ୍ଜା-ଏ ହେଉଛି ଋତୁକାଳୀନ ଭାଇରାଲ ଜ୍ୱର । ଏହାର ପ୍ରଭାବରେ ବର୍ଷା ଓ ଶୀତ ଋତୁରେ ବ୍ୟାପିଥାଏ ଜ୍ୱର । ସାଧାରଣତଃ ପରିବାରର ଜଣକୁ ଏଭଳି ଜ୍ୱର ହେଲେ ଅନ୍ୟମାନଙ୍କୁ ସଂକ୍ରମିତ ହୋଇଥାଏ । ବର୍ଷା ଋତୁରେ ଭୂତାଣୁ ଅଧିକ ସକ୍ରିୟ ହୋଇଥାନ୍ତି । ତେଣୁ ଯେଉଁମାନେ ବାହାରେ ବୁଲାବୁଲି କରନ୍ତି କିମ୍ବା ବର୍ଷାରେ ଭିଜିଥାନ୍ତି ସେମାନଙ୍କୁ ଜ୍ୱର ଶୀଘ୍ର ହୋଇଥାଏ ।
ମୁଖ୍ୟତଃ
-ଶିଶୁ, ବୃଦ୍ଧ, ଗର୍ଭବତୀ ଓ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତି ଇନ୍ଫ୍ଲୁଏଞ୍ଜା ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି
ଏଭଳି ଜ୍ବରର ଲକ୍ଷଣଗୁଡିକ ହେଲା
- ମାଂସପେଶୀ ଯନ୍ତ୍ରଣା, ଥଣ୍ଡା, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା ହେବା
- ନିମୋନିଆ ଭଳି ଲକ୍ଷଣ ବି ଦେଖାଯାଇଥାଏ
- ଧଇଁସଇଁ ହେବା ଓ ହାଲିଆ ଲାଗିବା
- ଏଭଳି ଲକ୍ଷଣ ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ
ତେଣୁ ବାହାରକୁ କମ୍ ବାହାରିବା ସହ ଭିଡ଼ଠୁ ଦୂରେଇ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ବର୍ଷା ଦିନରେ ଜ୍ୱର ନ ହେବାକୁ ହେଲେ ସତର୍କ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ବିଶେଷକରି ବର୍ଷାରେ ଓଦା ନହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।