କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ଫୁଲର ଅଭାବ । ମା’ଙ୍କୁ ପ୍ରତିଦିନ ଅର୍ପଣ କରାଯାଉଥିବା ମନ୍ଦାର ଫୁଲ ମିଳୁନି । ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ ଯେଉଁ ଫୁଲ କିଣୁଛନ୍ତି, ତାକୁ ଚଢ଼ା ଦରରେ କିଣୁଛନ୍ତି । ସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ନଥିବାରୁ ଚାଷୀ ଫୁଲ ଫସଲ କରିବା ପାଇଁ ମୁହଁ ଫେରାଇ ନେଉଛନ୍ତି ।

Advertisment

ନଡ଼ିଆ ଯେମିତି ମା’ ତାରିଣୀଙ୍କ ପ୍ରିୟ, ସେହିଭଳି ଫୁଲ ବି ପ୍ରିୟ । ବିଶେଷ କରି ନାଲି ମନ୍ଦାର ଆଉ ଗଜରା । ସେଥିପାଇଁ ମା’ଙ୍କର ଅନ୍ୟନାମ ମନ୍ଦାରରାଣୀ ବା ଜବାମୟୀ । କିନ୍ତୁ ଏବେ ଫୁଲର ଘୋର ଅଭାବ ଦେଖାଦେଇଛି ମା’ଙ୍କ ପୀଠରେ । ଦାବି ମୁତାବକ ପୂରଣ କରିପାରୁନି ଭକ୍ତଙ୍କ ଚାହିଦା । ଯେଉଁ ଫୁଲ ମିଳୁଛି ତାହା ଆକାଶଛୁଆଁ । ଯଦି ଜଣେ ଭକ୍ତ ମାଆଙ୍କୁ ଫୁଲମାଳଟିଏ ଅର୍ପଣ କରିବାକୁ ଚାହୁଁଛି, ତାହେଲେ ମିଳୁନି । ଫୁଲମାଳ ତିଆରି କରୁଥିବା ବ୍ୟକ୍ତି ମାତ୍ର ଦୁଇ ଚାରିଟି ଫୁଲ ସାଙ୍ଗରେ ପତ୍ର ଗୁନ୍ଥି ବିକ୍ରି କରୁଛନ୍ତି ।

ଅଧିକ ପଢ଼ନ୍ତୁ : ତିନି ଦିନ ପରେ ବି ସତ ମାନୁନାହାନ୍ତି ସରକାର; ନ୍ୟାୟ ପାଇବାକୁ ତହସିଲଦାରଙ୍କ ଗୋଡତଳେ ପଡି ମୃତକଙ୍କ ପତ୍ନୀ ନେହୁରା

ମନ୍ଦାର ଫୁଲ ତ ଆବଶ୍ୟକ ମୁତାବକ ମିଳୁନି । ମାଆଙ୍କ ଦୈନିକ ପୂଜାରେ ଅର୍ପଣ ହେଉଥିବା ଗଜରା ହାର ଆସୁଛି ଯାଜପୁର ଜିଲ୍ଲା କୁଆଖିଆରୁ । ସ୍ଥାନୀୟ ଅଞ୍ଚଳରେ ୫-୬ ଜଣ ଚାଷୀ ଫୁଲ ଫସଲ କରିଛନ୍ତି । କିନ୍ତୁ ଏହା ଚାହିଦା ପୂରଣ କରିପାରୁନି । ୯୦ ଦଶକରେ ମାଆଙ୍କ ମନ୍ଦିର ପରିସରକୁ ଲାଗି ଉଦ୍ୟାନ କୃଷି ବିଭାଗର ଏକ ବଗିଚା ଥିଲା, ଯେଉଁଠି ବହୁ ସଂଖ୍ୟାରେ ଫୁଲ ଫୁଟି ମାଆଙ୍କ କାର୍ଯ୍ୟରେ ଲାଗୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ଏଠାରୁ ଉଠିଯିବା ପରେ ଏମିତି ସ୍ଥିତି । ଏହାଛଡ଼ା, କୌଣସି ସରକାରୀ ପ୍ରୋତ୍ସାହନ ବ୍ୟବସ୍ଥା ନଥିବାରୁ ଚାଷୀମାନେ ଫୁଲ ଚାଷ କରିବାକୁ ଅମଙ୍ଗ ହେଉଛନ୍ତି ।

ସରକାରୀ ସ୍ତରରେ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଚାଷୀମାନଙ୍କ ପାଇଁ ସଚେତନତା ଏବଂ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଗଲେ, ତାରିଣୀଙ୍କ ପୀଠରେ ଫୁଲର ଅଭାବ ରୁହନ୍ତା ନାହିଁ ।