କନକ ବ୍ୟୁରୋ : ବାତ୍ୟା ଦାନା ଯୋଗୁ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ସବୁଠାରୁ ଅଧିକ ବର୍ଷା ହୋଇଛି । ଶିମିଳିପାଳରେ ବର୍ଷା ହେବାରୁ ବୁଢାବଳଙ୍ଗ ପ୍ରଭାବିତ ହୋଇ ତଳିଆ ଅଂଚଳରେ ପାଣି ପଶି ଗୋଟିଏ ଗାଁ ବିଛିନ୍ନ ହୋଇଯାଇଛି । କାଂଶବାଂଶ ନଦୀଠାରୁ ଛୋଟ ଓ ନାଳ ଠାରୁ ବଡ଼ , ଏଥି ପାଇଁ ପଞ୍ଚଲିଙ୍ଗେଶ୍ୱର, ଔପଦା, ଖଇରା, ନୀଳଗିରିରେ ପ୍ରବଳ ବର୍ଷା ଯୋଗୁଁ କାଂଶବାଂଶକୁ ଅଧିକ ପାଣି ଆସିଲା । ଫଳରେ କିଛି ଗାଁ ପ୍ରଭାବିତ ହୋଇଛି । ଆଖୁଆପଦାରେ ବୈତରଣୀ ନଦୀରେ ସତର୍କ ୱାର୍ଣ୍ଣିଂଠୁ ୧୭ ଦଶମିକ ୪୬ ମିଟର ଉପରେ ପାଣି ପ୍ରବାହିତ ହେଉଛି।  କିନ୍ତୁ ଏହା ବେଶି ବଢିବ ନାହିଁ । ଲଗାଣ ବର୍ଷା ହେବାରୁ କିଛି ଅଞ୍ଚଳ ଜଳମଗ୍ନ ହୋଇଛି । ସ୍ଥାନୀୟ ପ୍ରଶାସନ ସେହି ସ୍ଥାନ ତଦାରଖ କରୁଛନ୍ତି । 

Advertisment


ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ଛାଡିବାର ଦୁଇଦିନ ବିତିଗଲାଣି ଏପର୍ୟ୍ୟନ୍ତ ବିଦ୍ୟୁତ୍ ସରବରାହ ଠିକ୍ ହୋଇପାରିନାହିଁ । ବର୍ଷା ଓ ପବନ ମାଡ଼ରେ କେଉଁଠି ଗଛ ଭାଙ୍ଗିଥିଲା ତ କେଉଁଠି ବିଜୁଳି ଖୁଣ୍ଟ ଉପୁଡି ପଡିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ମରାମତି କାମ ଚାଲିଥିଲେ ମଧ୍ୟ କିଛି ଅଞ୍ଚଳରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ । ମୋବାଇଲ ଓ ଟର୍ଚ୍ଚ ଚାର୍ଜ କରିବା ପାଇଁ ଲୋକ ଅନ୍ୟ ଗାଁକୁ ଯାଉଛନ୍ତି । ରାଜନଗରର ସବୁ ପଞ୍ଚାୟତରେ ବିଜୁଳି ସଂଯୋଗ ପହଁଞ୍ଚି ପାରିନାହିଁ । ବିଜୁଳି ନଥିବାରୁ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।