କନକ ବ୍ୟୁରୋ: ବନ୍ୟା ଟଳିଛି, ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଛି । ଉଜୁଡ଼ି ଯାଇଥିବା ସୁନାର ଫସଲ ଦେଖି ହତାଶ ଚାଷୀକୁଳ। କିପରି ପରିବାର ବଂଚିବ ଓ ଚାଷ ପାଇଁ ଆଣିଥିବା ଧାର କରଜ କେମିତି ସୁଝିବେ ସେହି ଚିନ୍ତାରେ ଏବେ ଗଞ୍ଜାମର କ୍ଷତିଗ୍ରସ୍ତ ଚାଷୀ । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଋଷିକୂଲ୍ୟା ତଟବର୍ତ୍ତୀ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଧରାକୋଟ ବ୍ଲକ କୁଶପଡ଼ା ନିକଟରେ ଋଷିକୂଲ୍ୟା ନଦୀବନ୍ଧ ଭାଙ୍ଗି ପାଣି ଚାଷ ଜମିରେ ମାଡ଼ିଗଲା । ଶହଶହ ହେକ୍ଟର୍ ଜମିରେ ଧାନ ସହ ପନିପରିବା ଚାଷ ନଷ୍ଟ ହୋଇଛି। ବହୁ ଜମିରେ ବାଲିଚରି ଯାଇଛି । ଧାନ ଗଛ ଭୂଇଁରେ ଲୋଟିଛି । ଏବେ ନଦୀରେ ଜଳସ୍ତର କମିଛି ହେଲେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ଉଜୁଡ଼ା ଫସଲକୁ କାଦୁଅ ପଙ୍କରୁ ସାଉଁଟୁଛି। ଅନେକ ଜମିରେ ଏବେ ବି ପାଣି ରହିଛି । ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଚାଷ ପାଇଁ ଆଣିଥିବା ହାତଉଦ୍ଧାରୀ କେମିତି ଶୁଝିବେ ତାକୁ ନେଇ ଚାଷୀକୁଳରେ ଭାଳେଣି ପଡ଼ିଛି ।
ଋଷିକୂଲ୍ୟା ଓ ବଡ଼ ନଦୀ କୂଳରେ ଥିବା ଗାଁଗୁଡ଼ିକ ସିଙ୍ଗିପୁର, ବ୍ରାହ୍ମଣ ଦେଇ, ନୂଆଗଡ଼, ଯାହାଡ଼ାରେ ଫସଲ ନଷ୍ଟ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ସ୍ଥାନୀୟ ତହସିଲଦାର, କୃଷି ଅଧିକାରୀ, ଉଦ୍ୟାନ ଅଧିକାରୀ କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି ସରକାରଙ୍କ ନିୟମ ଅନୁସାରେ କ୍ଷତି ପୂରଣ ଆଶାରେ ଅଛନ୍ତି କ୍ଷତିଗ୍ରସ୍ତ ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/05/11-ganjam-farmers-2025-10-05-18-03-38.jpg)