କନକ ବ୍ୟୁରୋ : ଉତ୍ତର ଓଡ଼ିଶାରେ ବନ୍ୟାର ଦୁଃଖ ନସରୁଣୁ ଦକ୍ଷିଣରେ ବନ୍ୟା ବିଭୀଷିକା । ବୈପାରିଗୁଡ଼ାରେ ତାଣ୍ଡବ ରଚିଛି ଲଘୁଚାପଜନିତ ବର୍ଷା । ବୋଦାପୁଟ ପଞ୍ଚାୟତର ମାଳିଗୁଡା ଡ୍ୟାମ ଉପର ଭାଗରୁ ପାଣି ଉଛୁଳି ଗାଁ ଭିତରେ ପ୍ରବେଶ କରିଛି । ସେହିପରି ଦଶମନ୍ତପୁର ପଞ୍ଚାୟତର ଗରଡୁଗୁଡା ବ୍ରିଜ୍ ଭାଙ୍ଗିବା ଫଳରେ ରାଜୁଗୁଡ଼ା, ଉଛୁଲଗୁଡ଼ା ଏବଂ ଭରୁଆଭାଡ଼ି ୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଭିନ୍ନ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିବା ସହ ଶହଶହ ଏକର ଚାଷ ଜମିରେ ବର୍ଷା ପାଣି ମାଡ଼ିବା ଦ୍ୱାରା ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ । ବୈପାରିଗୁଡ଼ାରେ ସର୍ବାଧିକ ୩୦୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡିଛି ।
ମାଲକାନଗିରି ଜିଲା ମାଥିଲି ବ୍ଲକ ଅଟାଳଗୁଡା ଗାଁରେ ଥିବା ସାବେରୀ ନଦୀ ଉପରେ ହୋଇଥିବା ସପ୍ତଧାରା ସେତୁ ବିପଦ ପାଲଟିଛି । ଲଗାଣ ବର୍ଷାରେ ବ୍ରିଜର ଉଭୟ ପାର୍ଶ୍ୱରେ ମାଟି ଧସିବା ସହ ରାସ୍ତା ମଧ୍ୟ ଧୋଇ ହୋଇଯାଇଛି । ଫଳରେ ୫୦ ଖଣ୍ଡ ଗାଁ ଲୋକଙ୍କୁ ବିପଦ ମୁହାଁ କରାଇଛି ଲଗାଣବର୍ଷା ।
ବୈତରଣୀର ଶାଖା ନଦୀ କାଣୀ ନଦୀରେ ଘାଇ ଯୋଗୁଁ ନାହିଁ ନଥିବା ସମସ୍ୟା ଉପୁଜିଛି । ବନ୍ୟା ଯୋଗୁଁ କାହାର ଗାଈ ଭାସିଯାଇଛି ତ କାହାର ମୋଟର ଗାଡ଼ି, ଟଙ୍କା, ଦରକାରୀ କାଗଜପତ୍ର, ଅନ୍ୟାନ୍ୟ ଆସବାବପାତ୍ର ଭାସିଯାଇଛି । ଦଶରଥପୁର ବ୍ଲକର ୧୯ଟି ପଞ୍ଚାୟତର ବନ୍ୟାରେ ପ୍ରବାହିତ ହେଉଛି । ୫ ହଜାରରୁ ଅଧିକ ଚାଷ ଜମିରେ ବନ୍ୟା ଜଳ ଜମି ରହିଥିବାରୁ ଧାନ ନଷ୍ଟ ହେବାର ଆଶଙ୍କା ରହିଛି । ସେପଟେ ପ୍ରଳୟଙ୍କରୀ ବନ୍ୟା ପାଣିରେ ନିଖୋଜ ଥିବା କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି ।
ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ସୁବର୍ଣ୍ଣରେଖା ଓ ବୈତରଣୀ ବେସିନରେ ବିପଦ ସଂକେତ ତଳକୁ ପାଣି ଆସିଛି । ହୀରାକୁଦରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦରୁ ୯୮ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ମୁଣ୍ଡଳିରେ ୩ ଲକ୍ଷ ୩୧ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।
ସେପଟେ ଭୋଗରାଇର ୬ ପଞ୍ଚାୟତ ଏବେ ବି ପାଣି ଘେରରେ ରହିଛି । ଭୋଗରାଇ ବ୍ଲକ ନାଛିଣ୍ଡା ପଂଚାୟତ ଡେଉଁର ଗାଁର ଲୋକେ ୩ ଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।