Photograph: (kanak news)
କନକ ବ୍ୟୁରୋ: ଏବେ ବି ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ସ୍ଥିତି । ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ରହିଛି । ଆସନ୍ତାକାଲି ଏହା ବିପଦ ସଂକେତ ତଳକୁ ଆସିବ । ହେଲେ ଯାମସୋଲାଘାଟରେ ବର୍ଷା ଯୋଗୁଁ ରାଜଘାଟଠାରେ ସୁବର୍ଣ୍ଣରେଖା ବଢିବ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା, କାଣୀ ନଦୀରେ ୩୦ ମିଟର ଘାଇ ହୋଇଛି । ପାଣି କମିଲେ ମରାମତି କାମ ଆରମ୍ଭ ହେବ । ସୁବର୍ଣ୍ଣରେଖା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି । ବୈତରଣୀ ଯୋଗୁଁ ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲାର ଧାମନଗର ପ୍ରଭାବିତ ହୋଇଛି । ସେପଟେ ହୀରାକୁଦରେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ୨.୧୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨.୨୨ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ରେଙ୍ଗାଳିରେ ୯୩% ପାଣି ଭରିବାରୁ ନଜରରେ ରଖାଯାଇଛି । ଦୁଇଟି ଗେଟ ଖୋଲା ଅଛି। ଆବଶ୍ୟକ ପଡିଲେ, ରେଙ୍ଗାଳିର ଆଉ ଏକ ଗେଟ ଖୋଲା ହେବ । ସୁବର୍ଣ୍ଣରେଖା ବେସିନରେ ୧୭.୬୩ ମିଲିମିଟର ବର୍ଷା ହୋଇଛି । ଅନ୍ୟ କେଉଁଠି ୧୦ ଏମ୍ଏମ୍ରୁ ଅଧିକ ବର୍ଷା ହୋଇ ନଥିବାରୁ ଆଉ କେଉଁ ନଦୀରେ ବନ୍ୟା ନାହିଁ । ମୁଣ୍ଡଳିରେ ୧.୮୪ ଲକ୍ଷ ଜଳ ପ୍ରବାହିତ ହେଉଛି। ତେଣୁ ମହାନଦୀରେ ବନ୍ୟା ଅଛି।
ବୈତରଣୀ ନଦୀରେ ଦ୍ବିତୀୟ ବନ୍ୟା। ଲଘୁଚାପ ଜନିତ ଲଗାଣ ବର୍ଷାରେ ବୈତରଣୀ ନଦୀର ଜଳସ୍ତର ବଢ଼ିବା ସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦୁଝର ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର କାଲି ସନ୍ଧ୍ୟାରେ ବିପଦ ସଂକେତ ପାର କରିଥିଲା। ଆନନ୍ଦପୁର ଠାରେ ନଦୀର ବିପଦ ସଂକେତ ୩୮.୩୬୦ ମିଟର ଥିବା ବେଳେ ସକାଳ ୬ ଟାରେ ନଦୀ ୩୮.୧୬୦ ମିଟର ରେ ପ୍ରବାହିତ ହେଉଛି। ଯାହାକୁ ନେଇ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ସେପଟେ ଭଦ୍ରକରେ ବି ବନ୍ୟା ସ୍ଥିତି ଉପୁଜିଛି। ଧାମନଗର ବ୍ଲକର ଖଡ଼ିପଦା ଓ ପଧାନୀ ପଞ୍ଚାୟତର କିଛି ଗାଁରେ ପଶିଲା ବୈତରଣୀ ବନ୍ୟା ପାଣି। ଏଥିପାଇଁ କଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ୍ ଓ ଦମକଳବାହିନୀ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛି। ଅର୍ଜ୍ଜୁନପୁର, ପଧାନି, ସୋହଡ଼ା, କରଦା, ଖଡ଼ିପଦା ଓ ଆନନ୍ଦପୁର ଏବଂ ଧୁଷୁରୀ, ହସନାବାଦ, ନଦୀଗାଁ ଆଦି ଅଞ୍ଚଳ ଫୋକସ୍ରେ ରହିଛି। ବନ୍ୟାକୁ ଦୃଷ୍ଟି ରେ ରଖି ସହଡା ଅର୍ଜୁନପୁର ହସିନାବାଦ ଓ ପ୍ରଧାନୀ ଚାରୋଟି ପଞ୍ଚାୟତ ରେ ୨୫ ଟି ସ୍କୁଲ କୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜ଼ିଲ୍ଲାପାଳ ଦିଲ୍ଲୀପ ରାଉତରାୟ।
Follow Us