କନକ ବ୍ୟୁରୋ: ପୁଣି ବଦନାମ ବାରବାଟୀ। ଏଥର ଫ୍ଲଡ ଲାଇଟ ବନ୍ଦ ହେବାକୁ ନେଇ...। ୨୫ ମିନିଟ୍ ଖେଳ ବନ୍ଦ ହେବାରୁ ଦଶର୍କ ବିରକ୍ତ ହୋଇଛନ୍ତି ଆଉ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ମୌକା ମିଳିଛି। କିନ୍ତୁ ଏସବୁ ଭିତରେ ଓଡ଼ିଶାକୁ ବିଦେଶରେ ନିନ୍ଦିତ ହେବାକୁ ପଡିଛି। ହେଲେ କାର୍ଯ୍ୟାନୁଷ୍ଠାନର ପାଠ ପଢାଇ କ୍ରୀଡାମନ୍ତ୍ରୀ ନିଜମୁଣ୍ଡରୁ ଦୋଷ ଛଡାଇଛନ୍ତି। କିନ୍ତୁ ଏ ବିଭ୍ରାଟ ବାରବାଟୀ ଷ୍ଟାଡିୟମର ଭବିଷ୍ୟତକୁ ପ୍ରଶ୍ନଘେର ଭିତରକୁ ଠେଲିଦେଇଛି।
- ବାରବାଟୀରେ ବିଭ୍ରାଟ, ଭାରତ ନିନ୍ଦିତ
- ଓଡ଼ିଶାରେ 'ଫ୍ଲଡ ଲାଇଟ୍ ପଲିଟିକ୍ସ'
- କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ
ଭାରତ-ଇଂଲଣ୍ଡ ମ୍ୟାଚରେ ଫ୍ଲଡ ଲାଇଟ ବନ୍ଦ ହେବା ବାରବାଟୀ ମୁଣ୍ଡରେ ଅପବାଦର ଟିକା ବୋଳିଛି। ଯାହାକୁ ନେଇ ବିଦେଶରେ ଚର୍ଚ୍ଚା ହେଲାଣି। ଏହାସହ ବାରବାଟୀ ଘଟଣା ଭାରତକୁ ଆକ୍ଷେପ କରିବାକୁ ପାକିସ୍ତାନକୁ ସୁଯୋଗ ଦେଇଛି। ପୂର୍ବରୁ ବୋତଲ ଫିଙ୍ଗା ଘଟଣା ବାରବାଟୀ ଷ୍ଟାଡିୟମକୁ କଳଙ୍କିତ କରିଥିଲା। କିନ୍ତୁ ଭାରତ-ଇଂଲଣ୍ଡ ସିରିଜ ଦ୍ବିତୀୟ ଦିନିକିଆରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ପାଖାପାଖି ୨୫ ମିନିଟ୍ ମ୍ୟାଚ୍ରେ ବ୍ୟାଘାତ, ବାରବାଟୀର ଭବିଷ୍ୟତ ମ୍ୟାଚ୍ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ଏସବୁ ଭିତରେ କ୍ରୀଡ଼ାମନ୍ତ୍ରୀ ପୂର୍ବ ସରକାରକୁ ଦୋଷ ଦେବା ସହ, କେବଳ ଓସିଏକୁ ନୋଟିସ କରି କାମ ସାରିଦେଇଛନ୍ତି। ଅନ୍ୟପଟେ ଓସିଏ ଯାନ୍ତ୍ରିକ ତ୍ରୁଟିର ଦ୍ବାହି ଦେଇ ଖସିଯିବାକୁ ଚେଷ୍ଟା କରିଛି।
- ଅନ୍ତର୍ଜାତୀୟ ମ୍ୟାଚ୍ରେ ବିଭ୍ରାଟ ପାଇଁ ଦାୟୀ କିଏ?
- କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି କି ମନ୍ତ୍ରୀ?
- ମନ୍ତ୍ରୀ ଘନଘନ ସମୀକ୍ଷା କରୁଥିଲେ ବି କାହିଁକି ହେଲା ସମସ୍ୟା?
ବାରବାଟୀ ବିଭ୍ରାଟ ଭିତରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ମ୍ୟାଚ୍ ପୂର୍ବରୁ ମନ୍ତ୍ରୀ କଣ ଅନୁଧ୍ୟାନ କରୁଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି। ବିଶ୍ବ ଦରବାରରେ ଓଡ଼ିଶାକୁ ନିନ୍ଦିତ କରିଥିବାରୁ କ୍ରୀଡାମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଦଳ। ଅନ୍ୟପଟେ କଂଗ୍ରେସ କହିଛି, ଏଭଳି ବିଭ୍ରାଟ ପାଇଁ ସରକାର ଦାୟୀ। ଯେଉଁମାନେ ଭୁଲ କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳୁ।
ସୂଚନାଯୋଗ୍ୟ ଯେ, ୬ ବର୍ଷ ପରେ ବାରବାଟୀକୁ ଅନ୍ତର୍ଜାତୀୟ ଦିନିକିଆ ମିଳିଥିଲା। ହେଲେ ପୁଣି ଏକ ବିଭ୍ରାଟ ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ କରିଛି। ଆଗକୁ ଐତିହାସିକ ବାରବାଟୀ ଷ୍ଟାଡିୟମ୍କୁ ମ୍ୟାଚ୍ ଫେରିବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।