କନକ ବ୍ୟୁରୋ : ରାଜ୍ୟର ଦୁଇ ପ୍ରମୁଖ ନଦୀ ସୁବର୍ଣ୍ଣରେଖା ଓ ବୈତରଣୀର ଭୀଷଣ ବନ୍ୟାରେ ଉତ୍ତର ଓଡ଼ିଶା ସ୍ଥିତି ସଙ୍ଗିନ । ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଶହ ଶହ ଗାଁ ପ୍ରଭାବିତ ହୋଇଛି । ଗାଁ ଦାଣ୍ଡରେ ଲହଡ଼ି ମାରୁଛି ୫ ଫୁଟର ବନ୍ୟାଜଳ। ସ୍ଥିତି ଏପରି ଯେ ଘରୁ ବାହାରିବା ଦୂରର କଥା ରହିବା ଅସମ୍ଭବ । ଘର ଭିତରେ ପାଣି ପଶିଯାଇଛି । ଅଙ୍ଗନବାଡି କେନ୍ଦ୍ରଠୁ ଆରମ୍ଭ କରି ସ୍କୁଲ, ରାସ୍ତା ଘାଟ ସବୁ ପାଣି ଘେରରେ ରହିଛି । ଗାଁ ବାହାରକୁ ବାହାରିଲେ ଚାଷ ଜମି ନଈର ଭ୍ରମ ସୃଷ୍ଟି କରୁଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣି ଭିତରେ ଲୁଚି ଯାଇଛି । ଭଦ୍ରକର ଧାମନଗର, ଭଣ୍ଡାରିପୋଖରୀ ଦୁଇଟି ବ୍ଲକର ୧୫ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ବାଲେଶ୍ବରରେ ବାଲିଆପାଳ, ବସ୍ତା, ଭୋଗରାଇ ଏବଂ ଜଳେଶ୍ଵର ବ୍ଲକର ୫୦ରୁ ଅଧିକ ଗାଁ ପାଣି ଭିତରେ ରହିଛି ।
ଖସିଲା ସୁବର୍ଣ୍ଣରେଖା, ବୈତରଣୀ ଜଳସ୍ତର
ପାଣିରେ ଭାସିଗଲେ ଯୁବକ, କମୁନି ଭୟ
ସୁବର୍ଣ୍ଣରେଖା ଓ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଥିଲେ ବି ଭୟ କମିଛି । ବାଳେଶ୍ବର ବାଲିଆପାଳ, ବସ୍ତା ଏବଂ ଜଳେଶ୍ଵର ବ୍ଲକରେ ଲୋକେ ଘରୁ ବାହାରି ପାରୁନାହାଁନ୍ତି । ଘରୁ ବାହାରିଲେ ଅଣ୍ଟାଏ ପାଣି ଭିତରେ ପଶି ବାହାରକୁ ଯିବାକୁ ପଡୁଛି । ଯିବା ଆସିବା ପାଇଁ ପ୍ରଶାସନ ପକ୍ଷରୁ ଦୁଇଟି ଲେଖାଁଏ ଓଡ୍ରାଫ୍ ଟିମ ଏବଂ ଅଗ୍ନିଶମ ଟିମ ମୁତୟନ କରାଯାଇଛି । ଏସଆରସି ପକ୍ଷରୁ ୧୦ ଟି ମଟର ଚାଳିତ ଡ଼ଙ୍ଗା ନିୟୋଜିତ କରାଯାଇଛି । ଯାଜପୁର ଦଶରଥପୁର ଅହିୟାସ ଦରଘା ଠାରେ ଗତକାଲି ସୃଷ୍ଟି ହୋଇଥିବା ଘାଇ ୫୦ ଫୁଟରୁ ୧୫୦ ଫୁଟ ଓ ସାର ହୋଇଯାଇଛି । ଫଳରେ ଦରଘା ସମେତ କିଛି ଗାଁରେ ଦାଣ୍ଡରେ ୫ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବେଶ କରୁଛି । ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକ ଶୌଚ ହେବାକୁ ଯାଇଥିବା ବେଳେ ପାଣି ଭାସି ଯାଇ ନିଖୋଜ ଅଛନ୍ତି । କିଛି ଘର ମଧ୍ୟ ଭାଙ୍ଗିଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ୍ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ପ୍ରଶାସନ ପକ୍ଷରୁ କିଛି ବନ୍ୟା ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏବେବି ଅନେକ ଲୋକେ ଘରୁ ବାହାରିବା ପାଇଁ ପ୍ରାଶାସନିକ ସହାୟତାକୁ ଅନାଇ ବସିଛନ୍ତି ।