କନକ ବ୍ୟୁରୋ: କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମ ସଡ଼କ ଯୋଜନାରେ ପକ୍କା ସଡ଼କ ନିର୍ମାଣ କରୁଛନ୍ତି ସରକାର । ଉଦ୍ଦେଶ୍ୟ ଗ୍ରାମାଞ୍ଚଳ ଲୋକ ସୁବିଧାରେ ଯାତାୟାତ କରିପାରିବେ । ହେଲେ କିଛି ସ୍ଥାନରେ ଦେଖାଦେଇଛି ବ୍ୟତିକ୍ରମ ।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଏକ ଗାଁକୁ ଯାଇଥିବା ରାସ୍ତା ଖାଲଖମା ଭର୍ତ୍ତି । ଜମିଛି ପାଣି । ଗାଡ଼ି ମଟର ତ’ ଛାଡ଼ ଚାଲିକି ଯିବାକୁ ବି ଡର ଲାଗିବ । ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଯିବାଆସିବା କରିବାକୁ ଡରୁଛନ୍ତି ଲୋକେ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ରାଜସୁନାଖଳା ଠାରୁ ଧଳାପଥର ପୂର୍ତ୍ତ ବିଭାଗ ରାସ୍ତାର ଅବସ୍ଥା କହିଲେ ନସରେ । ହାଟବସ୍ତ ଛକ ଅଞ୍ଚଳର ୧୫ କିଲୋମିଟର ରାସ୍ତା ବର୍ଷେରୁ ଅଧିକ ସମୟ ହେଲାଣି ଶୋଚନୀୟ ଅବସ୍ଥାରେ । ରାସ୍ତା ନିର୍ମାଣ ପରେ ଠିକାଦାରଙ୍କ ଉପରେ ଏହାର ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ବ ରହିଛି। ସେହି କାର୍ଯ୍ୟକୁ ସେ ଠିକ୍ ଭାବେ କରୁ ନଥିବା ଅଭିଯୋଗ ଆସିଛି ।
ବର୍ଷାରେ ଚାଲିଛି ଡ୍ରେନ୍ କାମ
ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ
ବର୍ଷା ଦିନେ ରାସ୍ତା କଡ଼ରେ ଡ୍ରେନ କାମ ଚାଲିଛି । ପଚପଚ କାଦୁଅ ଭିତରେ କାମ କରାଯାଉଛି । ଯାହା ବୋଝ ଉପରେ ନଳିତା ସଦୃଶ ହୋଇଛି । ଏହି ରାସ୍ତା ଉପରେ ୨୦ ଖଣ୍ଡ ଗାଁର ହଜାର ହଜାର ଲୋକ ନିର୍ଭର କରନ୍ତି । ତେଣୁ ଏହାର ତୁରନ୍ତ ପୁନରୁଦ୍ଧାର କରାନଗଲେ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ରାସ୍ତାକୁ ପୁନଃନିର୍ମାଣ ପାଇଁ ଟେଣ୍ଡର ଦିଆଯାଇଥିବା କହିଛନ୍ତି ବିଭାଗୀୟ ଯନ୍ତ୍ରୀ। ହେଲେ ଏଠି ପ୍ରଶ୍ନ ଉଠୁଛି, କାହିଁକି ରାସ୍ତାର ମରାମତି କରାଯାଉନି ? କ’ଣ ବଡ଼ ଅଘଟଣକୁ ଅପେକ୍ଷା କରିଛି ବିଭାଗ ? ବିଭାଗୀୟ ଅଧିକାରୀ ନା ଠିକାଦାର କାହା ପାଖେ ଅଟକୁଛି କାମ ?