କନକ ବ୍ୟୁରୋ: ଉଜୁଡ଼ି ଗଲା ବର୍ଷକର ଆହାର । ଲଗାଣ ବର୍ଷା ଯୋଗୁ ଏକର ଏକର ଚାଷ ଜମିରେ ଜମି ରହିଛି ବର୍ଷା ଜଳ । ବିଭିନ୍ନ ସ୍ଥାନରୁ ଧାର କରଜ କରି ଚାଷ କରିଥିଲା ଚାଷୀ । ଆଉ ଲଘୁଚାପ ବର୍ଷା ଯୋଗୁ ସବୁକିଛି ଉଜୁଡ଼ି ଯାଇଛି । ଏବେ ବି ଚାଷ ଜମିରେ ପାଣି ଜମି ରହିଛି । ଏହିଭଳି କିଛି ଘଟଣା କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକରେ ଦେଖିବାକୁ ମିଳିଛି । ଚାଷୀ ନଦୀ ପଠାରେ ଚାଷ କରିଥିବା ପୋଟଳ, ଜହ୍ନି, କାକୁଡ଼ି, କଖାରୁ ଆଦି ବିଭିନ୍ନ ପ୍ରକାରର ପନିପରିବା ସହିତ ଧାନ ଫସଲ କରିଥିଲା । ହେଲେ ସବୁ ବର୍ଷା ପାଣିରେ ପଚି ସଢ଼ି ନଷ୍ଟ ହୋଇଯାଇଛି ।
ଏବେ ବି ପାଣି ଘେରରେ ରହିଛି ଜମି । ଜଳ ନିଷ୍କାସନ ହୋଇନଥିବା ବେଳେ ଫସଲ ସବୁ ନଷ୍ଟ ହୋଇଯାଇଛି । ଦୁଇ ପଇସା ରୋଜଗାର ଆଶା ରଖିଥିବା ଚାଷୀ କିଭଳି ପରିବାର ଚଳାଇବ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛି । ସେପଟେ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ନଦୀ ପଠାରେ ପଚି ଯାଇଥିବା ଫସଲର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦାବି କରିଛନ୍ତି ଚାଷୀ । ଏକର ଏକର ଫସଲ ବନ୍ୟା ଜଳରେ ନଷ୍ଟ ହୋଇଯାଇଛି । ଦୁର୍ଦ୍ଦଶା ଭିତରେ ଦୟନୀୟ ସ୍ଥିତିରେ ଚାଷୀ ଥିବା ବେଳେ ଖୁବଶୀଘ୍ର କିଛି ସାହାଯ୍ୟ ସହଯୋଗ କରାଯିବା ଜରୁରୀ ହୋଇପଡ଼ିଛି ।