କନକବ୍ୟୁରୋ : ଉତ୍ତର ଓଡ଼ିଶାକୁ ବନ୍ୟା ଭୟ। ବର୍ଷା ଜାରି ରହିଥିବାରୁ ଅଧିକାଂଶ ନଦୀ ଫୁଲୁଛି । ତେଣୁ ବନ୍ୟା ବିପଦ ରହିଥିବା ନେଇ କେନ୍ଦ୍ର ଜଳ ଆୟୋଗ ଅଧୀନ ବାଲେଶ୍ବର ଜିଲ୍ଲା ରାଜଘାଟସ୍ଥିତ ପୂର୍ବାନୁମାନ କେନ୍ଦ୍ର ଆକଳନ କରିଛି । ଫଳରେ ବାଲେଶ୍ବର,ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ନଦୀକୂଳିଆ ବାସୀ ଚିନ୍ତାରେ ପଡ଼ିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଓଡ଼ିଶା ସହ ଉପରମୁଣ୍ଡରେ ଥିବା ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ୩ ଦିନ ହେଲା ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଆଜି ବାଲେଶ୍ବର, ମୟୂରଭଞ୍ଜ, ଓ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ନଦୀଗୁଡ଼ିକ ଫୁଲିଛି ।
ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଜଳସ୍ତର ଏବେ ବିପଦ ସଂକେତ ପାଖାପାଖି ଥିବାବେଳେ ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା ଏହି ତିନିଟି ନଦୀର ଜଳସ୍ତର ଅଧିକାଂଶ ସ୍ଥାନରେ ବିପଦସଂକେତ ଟପିଯିବ । ଏପରିକି ଏହି ତିନି ନଦୀରେ ବଡ଼ ବନ୍ୟା ଆସୁଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ବାଲେଶ୍ବର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।