କନକ ବ୍ୟୁରୋ:  ରାଜଧାନୀ ଦିଲ୍ଲୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ହରିୟାଣାର ହାତୀକୁଣ୍ଡ ବ୍ୟାରେଜର ସମସ୍ତ ୧୮ଟି ଗେଟ୍ ଖୋଲି ଦିଆଯାଇଛି ।  ଚଳିତ ମୌସୁମୀ ଋତୁରେ ଏହା ପ୍ରଥମ ଥର ଯେତେବେଳେ ବ୍ୟାରେଜର ସମସ୍ତ ଗେଟ୍ ଖୋଲାଯାଇଛି । ଏହାଫଳରେ ବହୁ ପରିମାଣର ପାଣି ଦିଲ୍ଲୀ ଅଭିମୁଖେ ମାଡ଼ି ଆସୁଛି, ଯାହାକୁ ନେଇ ଦିଲ୍ଲୀ ସରକାର ସତର୍କ ସୂଚନା ଜାରି କରିଛନ୍ତି । ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବା କାରଣରୁ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଛି । ହାତୀକୁଣ୍ଡ ବ୍ୟାରେଜରୁ ୧.୭୮ ଲକ୍ଷ କ୍ୟୁସେକରୁ ଅଧିକ ପାଣି ଛଡ଼ାଯାଇଛି, ଯାହା ଏହି ଋତୁର ସର୍ବାଧିକ ବୋଲି କୁହାଯାଉଛି ।  ଏହି ପାଣି ଦିଲ୍ଲୀରେ ପହଞ୍ଚିବାକୁ ସାଧାରଣତଃ ୪୮ରୁ ୫୦ ଘଣ୍ଟା ସମୟ ଲାଗିଥାଏ ।  

Advertisment

ଅଗଷ୍ଟ ୧୯ ତାରିଖ ସୁଦ୍ଧା ଏହା ବିପଦ ସଙ୍କେତ ୨୦୫.୩୩ ମିଟର ପାର କରି ୨୦୬ ମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି । ଯଦି ଜଳସ୍ତର ୨୦୬ ମିଟର ଅତିକ୍ରମ କରେ, ତେବେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯିବ ।  ଏହି ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି । ସମସ୍ତ ସମ୍ପୃକ୍ତ ବିଭାଗକୁ ସତର୍କ ରହିବାକୁ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ବିଶେଷକରି ଯମୁନା ନଦୀ କୂଳରେ ଥିବା ତଳିଆ ଅଞ୍ଚଳଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି ଏବଂ ସେଠାରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।