କନକ ବ୍ୟୁରୋ: ଲଗାଣ ବର୍ଷା ପରେ ବାଲେଶ୍ୱର, ଭଦ୍ରକ ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଏବେ ବନ୍ୟା ସ୍ଥିତି । ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି, ତଳିଆ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ଶହଶହ ପରିବାର । ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ଆସିଛି ପଞ୍ଚମ ବନ୍ୟା । 

Advertisment

ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପରେ ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ୫ ହଜାର କ୍ୟୁସେକ ପାଣି ଛଡାଯାଇଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ରାଜଘାଟଠାରେ ବିପଦ ସଂକେତ ଟପି ପ୍ରବାହିତ ହେଉଛି ବନ୍ୟାଜଳ । ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ବନ୍ୟା ଆଶଙ୍କା ଯୋଗୁ ଆତଙ୍କିତ ଅବସ୍ଥାରେ ନଦୀ କୂଳିଆ ଅଞ୍ଚଳବାସୀ। ବାଲେଶ୍ବର ଭୋଗରାଇ ଓ ବାଲିଆପାଳକୁ ସଂଯୋଗ କରୁଥୁବା ରସଲପୁର ରାସ୍ତା ଉପରେ ପ୍ରବାହିତ ବନ୍ୟା ସ୍ରୋତରେ ଡଙ୍ଗା ଭାସିଯାଇଛି। ଦୁଇ ଜଣକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।  

ବୈତରଣୀ ନଦୀରେ ବି ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବା ବେଳେ ଶାଖା ନଦୀ ଗେଙ୍ଗୁଟିରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଖୁଆପଦା ନିକଟରେ ବୈତରଣୀ ନଦୀର ପାଣି ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଭଣ୍ଡାରିପୋଖରୀ ଷୋଳମପୁର ପଂଚାୟତର ଟିକିଲିଆ ପୋଲ ପାର୍ଶ୍ୱରେ ମାଟି ଧସିଛି । ବଡ଼ ବନ୍ୟାର ଆଶଙ୍କା ନଥିବା ବେଳେ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା କହିଛନ୍ତି ଜିଲ୍ଲାପାଳ ।

ସେପଟେ ବନ୍ୟା ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ଉଭୟ ସୁବର୍ଣ୍ଣରେଖା ଓ ବୈତରଣୀରେ ଛୋଟ ଧରଣର ବନ୍ୟା ସୃଷ୍ଟି ହୋଇଛି। ବଂଶଧରା ଓ ବୁଢାବଳଙ୍ଗରେ ଜଳସ୍ତର ହ୍ରାସ ପାଇବ। ବୈତରଣୀରେ ଜଳସ୍ତର ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାର ସର୍ବୋଚ୍ଚ ଯନ୍ତ୍ରୀ।

ଉପରମୁଣ୍ଡରେ ଲଗାଣ ବର୍ଷା ପରେ ମୟୁରଭଞ୍ଜ ଉଦଳାରେ ଥିବା କାଳ ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି। ସେହିପରି ହୀରାକୁଦ ଜଳଭଣ୍ଡାରରୁ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ରେଙ୍ଗାଲି ଡ୍ୟାମର ଦୁଇଟି ଗେଟ ଖୋଲାଯାଇଛି।