କନକ ବ୍ୟୁରୋ :  ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ଜାଗାରେ ତଳିଆ ଅଞ୍ଚଳରେ ପାଣି ପଶିଲାଣି । ବାଲେଶ୍ବର, ବସ୍ତା, ଉଦଳା, ବାରିପଦା, କେନ୍ଦ୍ରାପଡ଼ା ପରି ଜାଗାର ଦୃଶ୍ୟ ଚିନ୍ତାଜନକ କାହାଣୀ ବୟାନ କରଛି । 

Advertisment

ପ୍ରବଳ ବର୍ଷାରେ ବାରିପଦା ସହରର ତଳିଆ ଅଞ୍ଚଳର କିଛି ଘରେ ପାଣି ପଶିଥିବା ବେଳେ ରାସ୍ତାରେ ଉପରେ ପାଣି ଲହଡ଼ି ଭାଙ୍ଗୁଛି । ଡ୍ରେନେଜ୍ ସମସ୍ୟା ପାଇଁ ପ୍ରତିବର୍ଷ ଏପରି ଅବସ୍ଥା ଉପୁଜିଛି । କେନ୍ଦ୍ରାପଡ଼ା ସହର ୧୩ ନମ୍ବର ୱାର୍ଡ ରଣପଦା ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ । ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନାହିଁ । ଲୋକ ଖଟ ଉପରେ ବସି ଦିନ କାଟୁଛନ୍ତି । ସାପ କାମୁଡ଼ାରେ ବି କିଛି ଲୋକ ଶିକାର ହୋଇଛନ୍ତି ।  ବାଲେଶ୍ଵର ସହରରେ ବି ସମାନ ଅବସ୍ଥା । ଲଗାଣ ବର୍ଷା ପରେ ନୂଆସାହି  ରାସ୍ତାରେ  କୃତ୍ରିମ ବନ୍ୟା।  ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ବର୍ଷା ହେବା ମାତ୍ରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନୂଆଗାଁ ଗ୍ରାମରେ ଜଳବନ୍ଦୀ ଅବସ୍ଥା । ରାସ୍ତା ଉପରେ ୨ ଫୁଟର ପାଣି ଚାଲୁଛି ।

ଜଳକା ନଦୀର ଜଳସ୍ତର ମଥାନୀ ଠାରେ ବିପଦ ସଙ୍କେତ ଉପରେ । ଫଳରେ ବସ୍ତା ବ୍ଲକର ୮ ପଞ୍ଚାୟତ ସହ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଂକା ରହିଛି । ଖାଲି ଜଳକା ନୁହେଁ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ୁଛି । 

ସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରିଛନ୍ତି । ସ୍ଥାନୀୟ ପ୍ରଶାସନକୁ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ଫ୍ଲଡ ସେଲ୍ ଖୋଲାଯାଇଛି ।