କନକ ବ୍ୟୁରୋ: ଲଗାଣ ବର୍ଷା ପରେ ବାଲେଶ୍ବର, ଭଦ୍ରକ ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି । ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି, ତଳିଆ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ଶହ ଶହ ପରିବାର। । ଆଜି ସକାଳୁ ସକାଳୁ ବୈତରଣୀନଦୀରୁ ବନ୍ୟା ଜଳ ବହାରି ଗ୍ରାମ ଅଭିମୁଖେ ପ୍ରବେଶ କରିଛି । ଧାମନଗର ବ୍ଲକର ଖଡ଼ିପଦା ଓ ପଧାନୀ ପଞ୍ଚାୟତର କିଛି ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଛି । ଏଥି ଲାଗି କଚା ଘରେ ରହୁଥିବା ଲୋକଙ୍କ ଉଚ୍ଚା ସ୍ଥାନକୁ ପଠା ଯାଇଛି । ସେହିପରି ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ୍ ଓ ଦମକଳବାହିନୀଙ୍କୁ ସଜାଗ ରହିବା ଲାଗି କୁହାଯାଇଛି । ଅର୍ଜ୍ଜୁନପୁର, ପଧାନି, ସୋହଡ଼ା, କରଦା, ଖଡ଼ିପଦା ଓ ଆନନ୍ଦପୁର ଏବଂ ଧୁଷୁରୀ, ହସନାବାଦ, ନଦୀଗାଁ ଆଦି ଅଞ୍ଚଳକୁ ବର୍ତ୍ତମାନ ପାଇଁ ଫୋକସ କରାଯାଉଛି । କେବଳ ଏତିକି ନୁହଁ, ସତର୍କତାମୂଳକ ପଦକ୍ଷେପ ନେଇ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି । ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି। ସ୍କୁଲ ଘର, ବାତ୍ଯା ଆଶ୍ରୟସ୍ଥଳ ଓ ସରକାରୀ କୋଠାରେ ଅସ୍ଥାୟୀ ଭାବେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି । ଧାମନଗର ତହସିଲଦାର ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି।ସେପଟେ ସଇଲ ଠାରେ କୋଚିଳା ନଦୀର ଡାହାଣ ପାଖ ବନ୍ଧ ଧଶିଛି ।
୨ ମାସ ଭିତରେ ୪ ଥର ଧଶିସାରିଲାନି । ବନ୍ୟାରେ ବନ୍ଧ ଭାଙ୍ଗିବା ନେଇ ପ୍ରଶାସନ ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି । ସେପଟେ ବୈତରଣୀ ନଦୀ ବନ୍ଧ ଉତେଇ ପୁର ନିକଟରେ ଘଳି ପଡିଥିବା ବେଳେ ମରାମତି କାଯ୍ୟ ମଧ୍ୟ ଚାଲିଛି । ସେହିପରି ଆଖୁଆପଦା ନିକଟରେ ବର୍ତମାନ 18.86 ଉପରେ ବନ୍ୟା ପାଣି ପ୍ରଭାବିତ ହେଉଥିବା ବେଳେ ଏହାକୁ ଦୃଷ୍ଟି ରେ ରଖି ସହଡା ଅର୍ଜୁନପୁର ହସିନାବାଦ ଓ ପ୍ରଧାନୀ ଚାରୋଟି ପଞ୍ଚାୟତ ରେ 25 ଟି ସ୍କୁଲ କୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜ଼ିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ସେପଟେ ଭୋଗରାଇ ବ୍ଳକର ୬ ଟି ପଞ୍ଚାୟତର ୧୫ ରୁ ଅଧିକ ଗାଁରେ ଏବେ ବନ୍ୟା ପାଣି ପ୍ରବାହିତ ହେଉଛି । ଭୋଗରାଇ ବ୍ଲକର କୁମ୍ଭୀରଗଡି, ଖରିଦ ପିପଲ, ନାଛିଣ୍ଡା, ଗବ ଗାଁ, କୁସୁଡା, ଆରୁହାବର୍ତ୍ତୀ ଇତ୍ୟାଦି ପଂଚାୟତର ବିଭିନ୍ନ ଗାଁରେ ବନ୍ୟା ପାଣି ପଶିବାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି ଗାଁ ଲୋକେ । ବର୍ତମାନ ନଦୀ କୁଳିଆ ପଂଚାୟତ କୁମ୍ଭୀରଗଡି ଓ ଆରୁହାବର୍ତ୍ତୀ ଜଳ ବନ୍ଦୀ ହୋଇଥିବା ବେଳେ ଗବ ଗାଁ, କୁସୁଡା, ଖରିଦ ପିପଳ, ନାଛିଣ୍ଡା ଓ କୁସୁଡା ଇତ୍ୟାଦି ପଂଚାୟତରେ ବନ୍ୟା ପାଣି ପ୍ରବେଶ କରିବା ଆରମ୍ଭ କରିଛି ।
ସେପଟେ ଭଦ୍ରକରେ ବୈତରଣୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବା ବେଳେ ଶାଖା ନଦୀ ଗେଙ୍ଗୁଟିରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଖୁଆପଦା ନିକଟରେ ବୈତରଣୀ ନଦୀର ପାଣି ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଭଣ୍ଡାରିପୋଖରୀ ଷୋଳମପୁର ପଂଚାୟତର ଟିକିଲିଆ ପୋଲ ପାର୍ଶ୍ୱରେ ମାଟି ଧସିଛି। ବନ୍ୟା ପରିସ୍ଥିତିକୁ ଦେଖି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ୪ଟି ପଞ୍ଚାୟତରେ ୨୫ଟି ସ୍କୁଲ ଛୁଟି ଘୋଷଣା କରାଯାଇଛି। ୨ ଦିନ ପାଇଁ ଏହି ଛୁଟି ଘୋଷଣା ହୋଇଛି। ଏହି ୪ଟି ପଞ୍ଚାୟତ ହେଲା ସହଡ଼ା, ଅର୍ଜୁନପୁର, ହସିନାବାଦ୍, ପ୍ରଧାନୀ। ସେପଟେ ଉପରମୁଣ୍ଡରେ ଲଗାଣ ବର୍ଷା ପରେ ମୟୁରଭଞ୍ଜ ଉଦଳାରେ ଥିବା କାଳ ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି। ସେହିପରି ହୀରାକୁଦ ଜଳଭଣ୍ଡାରରୁ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ରେଙ୍ଗାଲି ଡ୍ୟାମର ଦୁଇଟି ଗେଟ ଖୋଲାଯାଇଛି।