କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ଯୁଆଡ଼େ ଚାହିଁବ ପାଣି ଆଉ ପାଣି । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ପରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଗାଁ । ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ପେଣ୍ଠପାଳ, ତରଡ଼ିପାଳ, ସିଂହ ଗାଁ, ଆଲପୁଆ, ଅଣ୍ଡରା ପଞ୍ଚାୟତ ପାଣି ଘେରରେ । ବନ୍ୟା ଜଳରେ ସ୍କୁଲ, ମେଡିକାଲ, ବାସଗୃହ ପ୍ରଭାବିତ ହୋଇଥିବା ବେଳେ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

Advertisment

ସେହିପରି ରାଜନଗର ବ୍ଲକର ଓସ୍ତିଆ, ବାନ୍ଧପଡ଼ା, ବେଲପାଳ, ରାଜପୁର, କେରଡ଼ଗଡ଼ ଅଞ୍ଚଳ ମଧ୍ୟ ବେଶ୍ ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ବେଳେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି । ଏହାରି ଭିତରେ ବନ୍ୟା ବେଳେ କୁମ୍ଭୀର ଆତଙ୍କ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି ।

ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟାଜଳ ଆସିବାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଆଳି ବ୍ଲକର ୧୦ ପଞ୍ଚାୟତ । ଧୋୟା ଅଞ୍ଚଳର ମୁଖ୍ୟ ରାସ୍ତା ମାନପୁରଠାରୁ ଗୋବିନ୍ଦପୁର ମୁଖ୍ୟ ରାସ୍ତାରେ ୭ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବ୍ଲକ, ତହସିଲ, ଥାନା ଓ ମେଡିକାଲ ଯିବା ଆସିବା ପାଇଁ ଡଙ୍ଗାର ସହାୟତା ନେଇଛନ୍ତି । ଡଙ୍ଗାରେ ମଧ୍ୟ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି । ତେବେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି ।

ବ୍ରାହ୍ମଣୀରେ ବନ୍ୟା ଆସିବା କାରଣରୁ ଯାଜପୁର ଜିଲ୍ଲା ବରୀ ବ୍ଲକ ଚନ୍ଦନପୁର ପଞ୍ଚାୟତ ମିର୍ଜlପୁର ଗାଁର ୪୦ରୁ ଅଧିକ ପରିବାର ପାଣି ଘେରରେ ରହିଛନ୍ତି । ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଛି । ବରୀ ଅଞ୍ଚଳର ସମସ୍ତ ଚାଷ ଜମି ଗୁଡ଼ିକ ବୁଡ଼ିଯାଇଛି । ଫଳରେ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି । ଉପର ମୁଣ୍ଡରେ ବର୍ଷା ହେବା ନେଇ ଏବେବି ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ବରୀ ବ୍ଲକ ପ୍ରଶାସନ ବନ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଥିବା ବରୀ ବିଡିଓ କହିଛନ୍ତି ।