କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ । ସେହିଭଳି ବଣାଇର ଲାଇଫ୍ ଲାଇନ୍ କୁହାଯାଉଥିବା ବ୍ରାହ୍ମଣୀ ନଦୀ ଫୁଲିବାରେ ଲାଗିଛି । ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏବେ ବନ୍ୟା ରୂପ ନେଉଛି ନଦୀ । ଯାହାକୁ ନେଇ ନଦୀ କୂଳିଆ ଲୋକଙ୍କ ମନରେ ଭୟ ବଢିବାରେ ଲାଗିଛି । ବନ୍ୟା ପରିସ୍ଥିତ ଯୋଗୁ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ତେବେ ସମସ୍ତ ଦିଗରେ ପ୍ରଶାସନ ତତ୍ପର ରହିଛି । ଅନ୍ୟପଟେ କୋଇଡା ଖଣି ଅଞ୍ଚଳରେ ଲଗାତାର ଭାବେ ବର୍ଷା ଯୋଗୁଁ ଜାତୀୟ ରାଜପଥରେ ଭୁସ୍ଖଳନ ହୋଇ ସୋୟୋମ୍ବା ପଞ୍ଚାୟତ ପୋଲ ଉପରେ ଦୁଇ ଫୁଟ ପାଣି ଚାଲିଛି । ପାଣି ଯୋଗୁ କୋଇଡାର ଦୁଇ ପଞ୍ଚାୟତ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।
ବାଲେଶ୍ବର ଓ ମୟୂରଭଞ୍ଜରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଜଳକା ବିପଦ ସଙ୍କେତଠାରୁ ସାମାନ୍ୟ ତଳେ ରହିଛି । ସୁବର୍ଣ୍ଣଖୋ ନଦୀର ଜଳସ୍ତର କମୁଥିଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜଘାଟ ନିକଟରେ ବିପଦ ସଂକେତ ୧୦ ଦଶମିକ ୩୬ ଥିବାବେଳେ ସକାଳ ୮ଟା ସୁଦ୍ଧା ଜଳସ୍ତର ୧୦ ଦଶମିକ ୭୫ ମିଟରରେ ପ୍ରବାହିତ ହେଉଛି । ସେହିପରି ଜଳକାରେ ବିପଦ ସଙ୍କେତ ୬ ଦଶମିକ ୫୦ ଥିବା ବେଳେ ଏବେ ଜଳସ୍ତର ୬ ଦଶମିକ ୪୯ ମିଟର ରହିଛି । ସେହିପରି ବୁଢାବଳଙ୍ଗରେ ବିପଦ ସଙ୍କେତ ୭ ଦଶମିକ ୨୧ ମିଟର ଥିବା ବେଳେ ଏବେ ୭ ଦଶମିକ ୨ ମିଟରରେ ପ୍ରବାହିତ ହେଉଛି । ଜଳସ୍ତର ବଢୁଥିବାରୁ ଭୋଗରାଇ ବ୍ଳକର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି । ଭୋଗରାଇ କୁମ୍ଭୀର ଗଡି ପଂଚାୟତ କୁହ୍ଲାଗାଁର ଲୋକେ ୨ ଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ନଦୀ କୁଳିଆ ପଂଚାୟତ କୁମ୍ଭୀରଗଡି ଓ ଆରୁହାବର୍ତ୍ତୀରେ ପାଣି ଛାଡୁଥିଲା ବେଳେ ତଳିଆ ପଂଚାୟତ ଗବଗାଁ, କୁସୁଡା, ଖରିଦ ପିପଳ ଆଦି ଅଂଚଳରେ ପାଣି ବଢୁଥିବା ଦେଖିବାକୁ ମିଳିଛି ।
ସେପଟେ ବୈତରଣୀ ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ଭଦ୍ରକରେ ଫୁଲୁଛି ବୈତରଣୀ । ଆଖୁଆପଦା ନିକଟରେ ବିପଦ ସଙ୍କେତ ୧୮ ଦଶମିକ ୩୩ ମିଟର ଥିବା ବେଳେ ଏବେ ଜଳସ୍ତର ରହିଛି ୧୮ ଦଶମିକ ୧୩ ମିଟର । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଆଖୁଆପଦା ନିକଟରେ ବୈତରଣୀର ଜଳସ୍ତର ବଢୁଛି । ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଉପର ମୁଣ୍ଡ କେନ୍ଦୁଝର ଚମ୍ପୁଆରେ ବର୍ଷାର ପ୍ରଭାବ ଅଧିକ ଥିବାରୁ ଆଖୁଆପଦା ନିକଟରେ ବୈତରଣୀ ନଦୀରେ ବନ୍ୟା ପାଣି ବଢ଼ିବାରେ ଲାଗିଛି ।