କନକ ବ୍ୟୁରୋ : ବାଲେଶ୍ୱରରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କମୁଛି, କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି । ଗାଁ ଦଣ୍ଡାରେ ବନ୍ୟା ପାଣି ଚାଲିବା ଫଳରେ ଲୋକେ ଘରୁ ବାହାରିପାରୁନାହାନ୍ତି । ସୁବର୍ଣ୍ଣରେଖାରେ  ବନ୍ୟା ଆସିବା ଫଳରେ ଉତ୍ତର ବାଲେଶ୍ୱରର ୪ଟି ବ୍ଲକର ୨୧ ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି ।  ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବାଲିଆପାଳ ଏବଂ ଭୋଗରାଇ ବ୍ଲକ । ଏବେବି ୩  ଫୁଟ ଉଚ୍ଚରେ ଗାଁ ଦାଣ୍ତରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଘରୁ ବାହାରି ପାରୁ ନାହାନ୍ତି ।  

Advertisment

କେତେକ ସ୍ଥାନରେ ରାସ୍ତା ଉପରେ ୪ଫୁଟ ପାଣି ପ୍ରବାହିତ ହେଉଥିବାରୁ ଲୋକେ ଦେଶୀ ଡଙ୍ଗା ସହାୟତାରେ  ଯାତାୟତ କରୁଛନ୍ତି ।  ହଜାର ହଜାର ହେକ୍ଟର ବନ୍ୟା ପାଣିରେ ପନି ପରିବା ଚାଷ ବୁଡି ରହିଛି । ବନ୍ୟା ଆସିବା ପୂର୍ବରୁ ଲୋକଙ୍କୁ ସତର୍କ କରାଯାଇ ନଥିବାରୁ ପ୍ରଭାବିତ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପାଣି କମୁଥିଲେ ବି ଭୋଗରାଇ ବ୍ଳକର ୫ଟି ପଞ୍ଚାୟତର ୧୨ଗାଁ  ଏବେ ମଧ୍ୟ  ପାଣିଘେରରେ ଅଛି । ଲୋକଙ୍କ ଦୁର୍ଦ୍ଦଶା କମୁନି ।  ଲୋକେ  ୩ ଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି ।  ଗାଁ ଗାଁ ସାହି ସାହିରେ ପାଣି ପଶିଛି । ଏହି ଦୃଶ୍ୟ ହିଁ ବୟାନ କରୁଛି ଲୋକେ କେତେ ଦୁର୍ଦ୍ଦିନରେ ଅଛନ୍ତି । ଯୁଆଡେ ଦେଖିବା ଖାଲି ପାଣି ଆଉ ପାଣି ପଶିଛି । ଲୋକଙ୍କ କହିବା ଅନୁସାରେ ପାଣି କମୁଥିଲେ ବି  ଗାଁ ଗଣ୍ଡାରେ ପାଣି ଛାଡିବାକୁ ଆହୁରି ସମୟ ଲାଗିବ । ଆଉ ପନିପରିବା  ଚାଷ ସଂପୂର୍ଣ୍ଣ ଉଜୁଡିଯାଇଥିବ । ତେଣୁ ସରକାରୀ ସହାୟତା ପାଇଁ ଚାପ ବଢିବାରେ ଲାଗିଛି ।