କନକ ବ୍ୟୁରୋ: ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । ବନ୍ୟା ବିପନ୍ନଙ୍କ ସରକାରୀ ସରକାରୀ ସହାୟତା ଯୋଗାଇ ଦିଆଯାଉଛି । ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, "ଏବେ ବନ୍ୟା ପାଣି ଖସୁଛି । ଗତକାଲି ଶୁଖିଲା ଥିଲା । କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱରରେ ସ୍ଥିତି ସୁଧୁରିଛି । ଆଗାମୀ ୨୪ ଘଣ୍ଟାରେ ବର୍ଷା ହେବ । ଯାଜପୁର ଜିଲ୍ଲାରେ ୫ ହଜାର ଲୋକ ରିଲିଫ୍ ସେଣ୍ଟରରେ ଅଛନ୍ତି ।"
ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, "ରିଲିଫ୍ ସେଣ୍ଟରକୁ ଅଧିକରୁ ଅଧିକ ଲୋକଙ୍କୁ ଆଣିବାକୁ ଗତ ରାତିରେ ନିର୍ଦ୍ଦେଶ ଦେଇଥିଲି । ଯାଜପୁରରେ ଘାଇ ହୋଇଛି । ମୁଁ, ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଓ OSDMA ଯାଜପୁର ଯାଉଛୁ ଆଉ କିଛି ସମୟରେ । ପାଣି ଛାଡିଲେ ଘାଇ ମରାମତି କାମ ଆରମ୍ଭ ହେବ । କ୍ଷୟକ୍ଷତି ଆକଳନ ପାଇଁ ନିର୍ଦେଶ ଦିଆଯାଇଛି । ଯିଏ ରିଲିଫ ସେଣ୍ଟର ଆସୁ ନାହାନ୍ତି, ତାଙ୍କୁ ପାଇଁ ଖାଦ୍ୟ ଘରକୁ ଦିଆଯାଇଛି । ପୁଲିସ ଘର ସବୁ ଜଗୁଛି ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ବଢୁଛି ସୁବର୍ଣ୍ଣରେଖା ଜଳସ୍ତର । ରାଜଘାଟରେ ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୭୦ ମିଟରରେ ପ୍ରବାହିତ ହେଉଛି । ଗତକାଲି ଜଳସ୍ତର କମି ୧୦.୫୫ ମିଟର ରହିଥିଲା । ଆଜି ପୁଣି ଥରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ବାଲିଆପାଳ, ବସ୍ତା ଏବଂ ଜଳେଶ୍ଵର ବ୍ଲକ୍ର ୫୦ରୁ ଅଧିକ ଗାଁ ପାଣି ଘେରରେ । ବାଲିଆପାଳ ବ୍ଲକର ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ଡା ପ୍ରଭୃତି ପଞ୍ଚାୟତ ର ୩୦ ରୁ ଅଧିକ ଗାଁ ପାଣି ଘେରରେ ରହିଥିବା ବେଳେ ବସ୍ତା ବ୍ଲକ୍ ନାବରା, ସିଂଲା, ପୁଟୁରା, କାଦରାୟାଁ, ରଘୁନାଥ ପୁର ,ଚୋରମାରା ପଞ୍ଚାୟତର ଅନେକ ଗାଁରେ ପାଣି ପଶିଛି । ସେହିପରି ଜଳେଶ୍ଵର ବ୍ଲକର ପାଇକସିଦା, ବାଇଗଣ ବାଡିଆ, ପଶ୍ଚିମବାଡ, ଝାରପିପଳ, କୋଟସାହି ପ୍ରଭୃତି ପଞ୍ଚାୟତ ପ୍ରଭାବିତ ହୋଇଛି । ବାଲିଆପାଳ ବ୍ଲକରେ ପ୍ରଶାସନ ପକ୍ଷରୁ ଲୋକଙ୍କ ସହାୟତା ପାଇଁ ଓଡ୍ରାଫ୍ର ଦୁଇଟି ଟିମ୍, ଅଗ୍ନିଶମ ବାହିନୀର ଦୁଇଟି ଟିମ, ଏବଂ ଏସଆରସି ପକ୍ଷରୁ ୧୦ଟି ମଟର ଚାଳିତ ଡ଼ଙ୍ଗା ନିୟୋଜିତ କରାଯାଇଛି । ବନ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
ସେପଟେ ବୈତରଣୀରେ ଜଳସ୍ତର କମ୍ ହୋଇଥିଲେ ବି ଏବେ ବି ପାଣି ଘେରରେ ଅନେକ ଗାଁ । ଆଖୁଆପଦା ନିକଟରେ ବିପଦ ସଂକେତ ୧୮.୩୩ ଥିବା ବେଳେ ବର୍ତମାନ ୧୭.୯୭ ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି । ଫଳରେ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୧୫ ଟି ପଂଚାୟତ ପ୍ରଭାବିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ପଞ୍ଚାୟତରେ ମେଡିସିନ ବ୍ୟବସ୍ଥା ମଧ୍ୟ କରାଯାଇଛି । ବନ୍ୟାରେ ଏହି ଦୁଇଟି ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି ।
ସେହିପରି କାଣୀ ନଦୀରେ ଦଶରଥପୁର ବ୍ଲକ ଅନ୍ତର୍ଗତ ଅହିୟାସ ପଞ୍ଚାୟତର ବଙ୍ଗାଳାବାଡିରେ ଏକ ଘାଇ ସୃଷ୍ଟି ହୋଇ ୨୦ଟି ପଞ୍ଚାୟତ ଏବଂ ଯାଜପୁର ବ୍ଲକର ୧୦ଟି ପଞ୍ଚାୟତ ଜଳବନ୍ଦୀ ହୋଇଛି । ଦଶରଥପୁର ବ୍ଲକର କଷପା, ମଲିକାପୁର, ତରପଦା, ସୁଶୁଆ, ଦୁଦୁରାଅଣ୍ଟା, ନିଜାମପୁର, ଦତ୍ତପୁର, କୟାଁ, କମରଡିହ, ଖାନନଗର, ଛଚିଣା, ମଙ୍ଗଳପୁର, ଯୟନ୍ତରା, କଟିକଟା ପଞ୍ଚାୟତ ବନ୍ୟାଜଳରେ ପ୍ରଭାବିତ ହୋଇଛନ୍ତି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୨୧ଟି ପଞ୍ଚାୟତର ୧୮୪୩୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ୬୧୯୧ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ୧୪ଟି ରିଲିଫ୍ ସେଣ୍ଟର୍ ଖୋଲାଯାଇ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଆମ୍ବୁଲାନ୍ସ ସହିତ ୨ଟି ମେଡିକାଲ ଟିମ୍ ଓ ୯ଟି ଭେଟେରୀନାରି ଟିମ୍ ନିୟୋଜିତ ହୋଇଛନ୍ତି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ୍ ଓ ଅଗ୍ନିଶମ ଦଳ ନିୟୋଜିତ ହୋଇଛନ୍ତି ।