କନକ ବ୍ୟୁରୋ: ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକାରେ ଜଳସ୍ତର ବଢ଼ିଥିଲା । ଏବେ ତାହା ଆସ୍ତେ ଆସ୍ତେ ଖସୁଛି । ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି । କିନ୍ତୁ ତଳିଆ ଅଞ୍ଚଳରେ ଏବେ ବି ପାଣି ପଶିଛି । ଲୋକେ ଦୁର୍ଦ୍ଦିନରେ ଅଛନ୍ତି । ବୈତରଣୀ ନଦୀରେ କିଛି ପାଣି ଆସିଛି । ଏହାସହ ଯାଜପୁରର କିଛି ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି ।

Advertisment
  • କମୁଛି ପାଣି, ବଢ଼ୁଛି ଦୁର୍ଦ୍ଦଶା
  • ଗାଁରେ ଗାଁରେ ପାଣି ଆଉ ପାଣି 

ଉତ୍ତର ଓଡିଶାରେ ବନ୍ୟା ସ୍ଥିତି କମୁଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମୁନି । ସୁବର୍ଣ୍ଣରେଖା ନଦୀରେ ପାଣି କମୁଥିଲେ ବି ଏହା ସଂଲଗ୍ନ ଗାଁ ଗୁଡ଼ିକରେ କିନ୍ତୁ ଲୋକ ଦୁର୍ଦ୍ଦିନରେ ଅଛନ୍ତି । ନଦୀବନ୍ଧ ଭିତରପଟ ୪ଟି ପଞ୍ଚାୟତରେ ପାଣି ବଢ଼ୁଛି । ଗବଗାଁ, କୁସୁଡା ଓ ନାଥିନ୍ଦା ପଞ୍ଚାୟତର ବିଭିନ୍ନ ଗାଁର ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ନଦୀ ବାହାରପଟ କୁମ୍ଭୀରଗଡି ପଞ୍ଚାୟତରେ ପାଣି କମୁଛି । ବାଲିଆପାଳ ବ୍ଲକରେ ୬ ପଞ୍ଚାୟତର ୪୦ ଗାଁ ପାଣିଘେରରେ ଅଛି । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ସେହିଭଳି ଜଳକା ନଦୀରେ ପାଣି କମିଛି, ଜଳସ୍ତର ବିପଦ ସଙ୍କେତ ତଳେ ଅଛି । କିନ୍ତୁ ବସ୍ତା ବ୍ଲକର ପାଖାପାଖି୧୫ ଗାଁ ଏବେ ବି ପାଣି ଘେରରେ ଅଛି । ମଥାନି-ବାସିଚକରାଇ ରାସ୍ତାରେ ପାଣି ଚାଲୁଛି । ବସ୍ତା ବ୍ଲକ କାଳନ୍ଦା ଗାଁରେ ନଦୀରେ ଭାସିଯାଇ ଜଣେ ପ୍ରାଣ ହରାଇଛନ୍ତି । 

  • ବୈତରଣୀ ପାଇଁ ଯାଜପୁରରେ ବଢ଼ୁଛି ଆଶଙ୍କା
  • ବ୍ରାହ୍ମଣୀ ଫୁଲୁଛି, ସ୍ଥାନୀୟ ଲୋକେ ଛନକା 

ବୈତରଣୀ ଉପର ମୁଣ୍ଡ କେନ୍ଦୁଝର ଜ଼ିଲ୍ଲାରେ ବର୍ଷା ହେବାରୁ ବୈତରଣୀ ନଦୀରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି । ଯାଜପୁର କୋରେଇ, ଯାଜପୁର, ଦଶରଥପୁର ବ୍ଲକ ବନ୍ୟାରେ ପ୍ରଭାବିତ ହେବା ଆଶଙ୍କା ରହିଛି । ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବ୍ରାହ୍ମଣୀ ନଦୀ ଫୁଲୁଥିବାରୁ ବଣାଇ ଅଞ୍ଚଳରେ ବନ୍ୟା ଭୟ ଘାରିଛି । ଭୁବନେଶ୍ୱରରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି । ୪ ତାରିଖ ଯାଏ ସତର୍କ ରହିବାକୁ କୁହାଯାଇଛି ଓ ବନ୍ୟା ପାଣି କମିଲେ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ । ତେବେ ବନ୍ୟା ଆଶଙ୍କା ବଢୁଥିବାରୁ ଲୋକେ ଚିନ୍ତାରେ ଅଛନ୍ତି । ପ୍ରଶାସନ ବି ସଜାଗ ହୋଇରହିଛି  ।