କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ସପ୍ତାହେ ଧରି ଲଗାଣ ବର୍ଷା ପରେ ସୁନ୍ଦରଗଡ଼ରୁ ଝାରସୁଗୁଡା, ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ନୂଆପଡାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡେ ଖାଲି ପାଣି ହିଁ ପାଣି । ନାନା ସମସ୍ୟାରେ ପଡ଼ିଛନ୍ତି ଲୋକେ । ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଲଗାଣ ବର୍ଷାରେ ସହରର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି । ୩ ନମ୍ୱର ୱାର୍ଡ ମସଜିଦପଡ଼ାରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ରଙ୍ଗାଢିପା, ବସନ୍ତ ବଗିଚା, ନିରଞ୍ଜନ ନଗର, ରାଣୀ ବଗିଚା, ଆଦର୍ଶ ନଗର, ଖମାରିପଡ଼ା ସମେତ ଅନେକ ଅଞ୍ଚଳରେ ଘର ଭିତରେ ଆଣ୍ଠୁଏ ଲେଖାଏଁ ପାଣି, ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ବନ୍ୟା ପ୍ରଭାବିତ ।
ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଇକେରାରୁ ବାଗଡିହିକୁ ସଂଯୋଗ କରୁଥିବା ଠେଲକୋ ବୁଡ଼ ବ୍ରିଜ ଭାଙ୍ଗି ଯାଇଛି । ରାଜପୁର ଚାନ୍ଦିନୀମାଲଠାରେ ପୋଲ ଉପରେ ୨ରୁ ୩ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ହାତୀଆ ନଦୀରେ ବଢ଼ି ପାଣି ଆସିଥିବା ବେଳେ ଗାଁଗୁଡ଼ିକରେ ବନ୍ୟା ପାଣି ପଶି ଘରଦ୍ୱାର ଭୁଶୁଡି ପଡ଼ିଛି ।
ବନ୍ୟା ପରିସ୍ଥିତି ଭିତରେ ନୂଆପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି ଅଘଟଣର ଚିତ୍ର । ଲଖନା ଥାନା ଅନ୍ତର୍ଗତ ପଟକରପାଳି ଗାଁରେ ନିର୍ମାଣଧିନ କୁକୁଡ଼ା ଫାର୍ମର କାନ୍ଥ ପଡି ୨ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି ।
ସେପଟେ କୁଚିଣ୍ଡା ଦେଇ ପ୍ରବାହିତ ହେଉଥିବା ଦୁଇ ପ୍ରମୁଖ ନଦୀ ଖରଲା ଓ ଭେଡେନ ନଦୀରେ ବନ୍ୟା ଜଳ ଆସିବା ଫଳରେ ଅନେକ ଗାଁ ଜଳବନ୍ଦୀ ହୋଇଛି । ପାନୀୟ ଜଳଯୋଗାଣ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଗାଁ ଗାଁକୁ ଯାଇ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି ।
ହୀରାକୁଦର ମୋଟ୍ ୨୦ଟି ଗେଟ୍ ଖୋଲାଯାଇଛି। ସେହିପରି ଉପର ମୁଣ୍ଡରେ ପ୍ରବଳ ବର୍ଷା ପରେ ରେଙ୍ଗାଲି ଡ୍ୟାମରେ ଖୋଲିଛି ୨ୟ ଗେଟ୍। ସୁବର୍ଣ୍ଣରେଖାରେ ନଦୀର ଜଳସ୍ତର ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ବୈତରଣୀ ଓ ବାଂଶପାଳରେ ବର୍ଷା ହୋଇଥିଲେ ବି ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ବର୍ଷା ପରେ ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ଗାଁ ଗାଁରେ ପାଣି ପଶିଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି ।