କନକ ବ୍ୟୁରୋ: ଉତ୍ତର ପ୍ରଦେଶରେ  ଲଗାଣ ବର୍ଷା ଯୋଗୁ ବନ୍ୟା  ପରିସ୍ଥିତି ସଙ୍ଗୀନ ରୂପ ଧାରଣ କରିଛି । ବିଶେଷକରି ପ୍ରୟାଗରାଜରେ ଗଙ୍ଗା ଓ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଟପିବା ପରେ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ରାସ୍ତା, ଘର ଓ ଘାଟ ସବୁଆଡ଼େ ପାଣି ପଶିଯିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ପ୍ରୟାଗରାଜର ଛୋଟା ବଘାଡ଼ା ଅଞ୍ଚଳରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଠାରେ ବାପା-ମାଆ ନିଜ ନବଜାତକ ଶିଶୁକୁ ବେକ ପର୍ଯ୍ୟନ୍ତ ପାଣିରେ ପଶି ମୁଣ୍ଡରେ ବୋହି ନେଉଥିବାର ଦେଖିବାକୁ ମିଳିଛି ।  

Advertisment

ପ୍ରୟାଗରାଜର ସଙ୍ଗୀନ ସ୍ଥିତି
ପ୍ରୟାଗରାଜରେ ଗଙ୍ଗା ଓ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ୮୪.୭୩୪ ମିଟର ଅତିକ୍ରମ କରିଛି ।  ସହରର ସଲୋରୀ, ରାଜାପୁର, ଦାରାଗଞ୍ଜ ଓ ବଘାଡ଼ା ଭଳି ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି ।  ଲୋକଙ୍କ ଘରର ପ୍ରଥମ ମହଲା ପର୍ଯ୍ୟନ୍ତ ପାଣି ପଶିଯାଇଥିବାରୁ ଅନେକେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି ।  ସହରର ଗଳିକନ୍ଦିରେ ନାଆ ଚଳାଚଳ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।  ପ୍ରୟାଗରାଜର ସାତଟି ତହସିଲର ୧୦୬ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । 

ଉତ୍ତର ପ୍ରଦେଶର ୧୭ ଜିଲ୍ଲା ପ୍ରଭାବିତ
ପ୍ରୟାଗରାଜ ବ୍ୟତୀତ ଉତ୍ତର ପ୍ରଦେଶର ଆହୁରି ୧୬ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା କାନପୁର ନଗର, ଲକ୍ଷ୍ମୀପୁର ଖେରୀ, ଆଗ୍ରା, ଔରୈୟା, ଚିତ୍ରକୂଟ, ବଲିଆ, ବାନ୍ଦା, ଗାଜିପୁର, ମିର୍ଜାପୁର, ବାରାଣାସୀ, ଚନ୍ଦୌଲି, ଜାଲୌନ, କାନପୁର ଦେହାତ, ହମିରପୁର, ଇଟାୱା ଓ ଫତେହପୁର । ସରକାରୀ ତଥ୍ୟ ଅନୁଯାୟୀ, ଏହି ୧୭ଟି ଜିଲ୍ଲାର ୩୭ଟି ତହସିଲର ୪୦୨ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି, ଯେଉଁଥିରେ ୮୪,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।  

ବନ୍ୟା ଓ ବର୍ଷା  ଯୋଗୁଁ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।  ହଜାର ହଜାର ହେକ୍ଟର ଚାଷଜମି ମଧ୍ୟ ପାଣିରେ ବୁଡ଼ି ରହିଛି ।  ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ NDRF, SDRF ଓ PAC ଟିମ୍ ମୁତୟନ କରାଯାଇଛି ।  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରିଲିଫ୍ କ୍ୟାମ୍ପରେ ରଖାଯାଉଛି ଏବଂ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।  ଉତ୍ତର ପ୍ରଦେଶ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ କାର୍ଯ୍ୟ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।