କନକ ବ୍ୟୁରୋ: ଉତ୍ତର ଓ ଦକ୍ଷିଣ ଓଡିଶାରେ କଲବଲ କଲାଣି ବନ୍ୟା । ଉତ୍ତରରେ ବନ୍ୟାପାଣି କମିଥିଲେ ବି ଦୁର୍ଦ୍ଦଶା ବଢ଼ିଛି । ହଜାର ହଜାର ଲୋକ ପାଣିଘେରରେ ଅଛନ୍ତି । ଗାଁରେ ଅଣ୍ଟାଏଅଣ୍ଟାଏ ପାଣି ଲହଡି ଭାଙ୍ଗୁଛି । ସେପଟେ କୋରାପୁଟରେ ରେକର୍ଡ ବର୍ଷା ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇଛି । ୫ ଦିନ ହେଲା କଲବଲ କରୁଛି ବନ୍ୟା ପାଣି । ବାଲେଶ୍ୱର ଭୋଗରାଇର ନଦୀବନ୍ଧ ଭିତର ପଟ ଗାଁ ଗୁଡିକରେ ବନ୍ୟା ପାଣି ଲହଡି ମାରୁଛି । ଭୋଗରାଇର ୫ଟି ପଞ୍ଚାୟତର ୧୩ଟି ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ଅଛି । ଲୋକଙ୍କ ପାଖରେ ଏବେ ବି ପାଖରେ ରିଲିଫ, ଗୋଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ପହଞ୍ଚିପାରିନାହିଁ । ରାସ୍ତାରେ ଅଣ୍ଟାଏ ଅଣ୍ଟାଏ ପାଣି ଚାଲିଛି । ଏଥିରେ ଲୋକେ ଯିବା ଆସିବା କରୁଛନ୍ତି । ପିଲାଙ୍କ ସ୍କୁଲ ବନ୍ଦ ହୋଇଯାଇଛି । ୬-୬ ଥର ବନ୍ୟା ଆସିଥିଲେ ବି ଏ ଯାଏଁ ଡଙ୍ଗା ଦିଆଯାଇପାରିନାହିଁ । ବାଲିଆପାଳ ବ୍ଲକରେ ଏବେ ବି ୧୦ଟି ଗାଁ ପାଣି ଘେରରେ ରହିଛି । ରାସ୍ତା ଉପରେ ୨ରୁ ୩ ଫୁଟ୍ ପାଣି ପ୍ରବାହିତ ହେଉଛି । ପାଣି ଖସିବାକୁ ଆହୁରି ୨ରୁ ୩ ଦିନ ଲାଗିପାରେ ।
ଦଶରଥପୁରରେ କାଣୀ ନଦୀରେ ପାଣି କମିଥିଲେ ବି ଦୁର୍ଦ୍ଦଶା କମିନି । ପାଣି ଖସିବା ପରେ ଲୋକେ ଘରକୁ ଫେରି ସାଇତା ସମ୍ପତିକୁ ଖୋଜୁଛନ୍ତି । ନଷ୍ଟ ହୋଇଯାଇଥିବା ଜରୁରୀ କାଗଜପତ୍ର ଓ ଟଙ୍କାକୁ ଦେଖି ମୁଣ୍ଡ ପିଟୁଛି । ୨୦ ପଞ୍ଚାୟତ ୫ ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଆକଳନ ପରେ ଅନଲାଇନରେ କ୍ଷତିପୂରଣ ଦିଆଯିବ ।
କୋରାପୁଟରେ ବର୍ଷା ବିତ୍ପାତ
ଘରେ ଓ ଜମିରେ ଖାଲି ପାଣି ଆଉ ପାଣି
କୋରାପୁଟରେ ଏଥର ରେକର୍ଡ ବର୍ଷା ହୋଇଛି । ଘର ଭିତରେ ପାଣି, ରାସ୍ତା ଉପରେ, ଚାଷ ଜମିରେ ପାଣି । ପାଣି ଭିତରେ ସରିସୃପଙ୍କ ଭୟ । ବର୍ଷା ସମୟର ଚିତ୍ରକୁ ନିଜ ମୋବାଇଲ୍ରେ କଏଦ କରିଛନ୍ତି ପ୍ରଭାବିତ । କୋରାପୁଟ ଜିଲ୍ଲାରେ ୧,୬୧୮ ମିମି ବର୍ଷା ରେକର୍ଡ କରାଯାଇଛି । ପ୍ରତି ବ୍ଳକରେ ପ୍ରାୟ ୧୧୫.୫୭ ମିମି ବର୍ଷା ହୋଇଛି। ବୈପାରିଗୁଡ଼ା ବ୍ଳକରେ ସର୍ବାଧିକ ୩୦୬ ମିମି ବର୍ଷାର ହୋଇଥିବା ବେଳେ ୧୮୬ ମିମି ବର୍ଷା ସହ ଦ୍ୱିତୀୟ ସ୍ଥାନରେ ଜୟପୁର ସହର । ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ ଚାଷ ପ୍ରଭାବିତ ହେଉଥିଲା । ଚାଷୀ ଚାଷ କମା ବିଳମ୍ବର ଆରମ୍ଭ କରିଛି। ହେଲେ ଗୋଟିଏ ପରେ ଗୋଟିଏ ଲଘୁଚାପ, ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ହାଲ ବେହାଲ କରିଛି ।