କନକ ବ୍ୟୁରୋ : ଚଳିତ ବର୍ଷର ମୌସୁମୀ ଯେମିତି କ୍ରୋଧର ଜ୍ବାଳାରେ ଜଳୁଛି । ଯାହାର ପ୍ରଭାବ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ଖାସ୍ କରି ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ପ୍ରବଳ ବର୍ଷା ଯୋଗୁ ନଦୀରେ ବନ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ଲୋକ ବାସହୀନ ହୋଇ କାନ୍ଦୁଛନ୍ତି । ହିମାଚଳ ପ୍ରଦେଶରେ ରାସ୍ତା ଏବଂ ପୋଲର ନାଁ ଗନ୍ଧ ଦେଖିବାକୁ ମିଳୁନି । ମାଟି ଅତଡ଼ାରେ ମିଶିଯାଇଛି ଅନେକଙ୍କ ଘର । ଦେବଭୂମି ଉତ୍ତରାଖଣ୍ଡରେ ମଧ୍ୟ ସମବସ୍ଥା । ବାଦଲଫଟା ବର୍ଷା ଯୋଗୁ କେତେ ଗାଁ ଭାସି ଯାଇଛି ତାହାର ଠିକଣା ନାହିଁ । ପଞ୍ଜାବର ସତଲୁଜ ଏବଂ ବିଆସ ନଦୀର ବନ୍ୟାପାଣି ଚାଷଜମି ଏବଂ ଅନେକ ଗାଁକୁ ବୁଡ଼ାଇ ଦେଇଛି । ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ମଧ୍ୟ ବନ୍ୟା ଯୋଗୁ ହଜାର ହଜାର ଲୋକ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି । ଅନେକ ଲୋକଙ୍କ ଜୀବନ ଚାଲିଗଲାଣି । ସ୍କୁଲ୍ ବନ୍ଦ , ବିଦ୍ୟୁତ ଏବଂ ଯୋଗାଯୋଗ ସେବା ବନ୍ଦ , ରିଲିଫ୍ କାର୍ଯ୍ୟରେ ବିଳମ୍ବ .. ସବୁ ଯେମିତି ଲଗାଣ ବର୍ଷା କାରଣରୁ ଠପ୍ ହୋଇଯାଇଛି । 

Advertisment
himachal
himachal Photograph: (KanakNews)

ହିମାଚଳ ପ୍ରଦେଶରେ ସବୁ ନଦୀ ଯେମିତି ରୌଦ୍ର ରୂପ ଧାରଣ କରିଛନ୍ତି । ବର୍ଷା ସାଙ୍ଗକୁ ଭୂସ୍ଖଳନ ଯେମିତି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ପ୍ରବଳ ବର୍ଷା ଯୋଗୁ ରାସ୍ତା ଭାସିଯିବା ସହ ଅନେକଙ୍କ ଜୀବନ ମଧ୍ୟ ଚାଲିଗଲାଣି । ହିମାଚଳ ପ୍ରଦେଶର State Emergency Operation Centre ଅନୁସାରେ , ଜୁନ୍ ୨୦ ତାରିଖ ଆରମ୍ଭ ହୋଇଥିବା ମୌସୁମୀ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୨୦ ଜଣଙ୍କ ଜୀବନ ଚାଲିଗଲାଣି । ଏଥିରେ ୧୬୬ ଜଣଙ୍କ ମୃତ୍ୟୁ ବନ୍ୟା , ବଜ୍ରପାତ ଏବଂ ଭୂସ୍ଖଳନ କାରଣରୁ ହୋଇଥିବା ନେଇ ସୂଚନା ମିଳୁଥିବା ବେଳେ ବଳକା ୧୫୪ ଜଣଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହୋଇଛି ।

car_washed_away_kullu
car_washed_away_kullu Photograph: (google)

ବର୍ତ୍ତମାନ ସୁଦ୍ଧା ହିମାଚଳରେ ଯାତାୟାତ ପାଇଁ ୮୩୯ ରାସ୍ତା ଏବଂ ୩ ଟି ଜାତୀୟ ରାଜପଥକୁ ବନ୍ଦ କରାଯାଇଛି । ୭୨୮ ବିଦ୍ୟୁତ୍ ବିତରଣ ଟ୍ରାନ୍ସଫର୍ମର ଏବଂ ୪୫୬ ଜଳ ଯୋଗାଣ ପ୍ରକଳ୍ପ ବନ୍ଦ ରହିଛି । ରାଜ୍ୟର ଚମ୍ବା, ମଣ୍ଡି ଏବଂ କୁଲ୍ଲୁ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ଲଗାଣ ବର୍ଷା ଏମିତି ଧ୍ବଂସ ଲୀଳା ରଚିଛି ଯେ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ମହାରାଷ୍ଟ୍ରରେ ଏକର ଏକର ଚାଷଜମିକୁ ବୁଡ଼ାଇ ଦେଇଛି ବନ୍ୟା ପାଣି । ସୁନାର ଫସଲକୁ ବଢ଼ି ପାଣିରେ ସଢ଼ୁଥିବା ଦେଖି ଜଣେ ଚାଷୀ କେମିତି ପାଗଳଙ୍କ ପରି ଭୋ ଭୋ ହୋଇ କାନ୍ଦୁଛନ୍ତି ଏହି ଭିଡିଓ ସୋସିଆଲ୍ ମିଡିଆରେ ଆସିବା ପରେ ଲୋକଙ୍କ ଆଖିକୁ ଭିଜାଇ ଦେଇଛି ଭିଡିଓ । ପ୍ରତିବର୍ଷ ମୌସୁମୀର ଆଗମନକୁ ଅପେକ୍ଷା କରୁଥିବା ଲୋକ ଆଜିର ସମୟରେ ବର୍ଷା କେବେ ବନ୍ଦ ହେବ ବୋଲି ପ୍ରାର୍ଥନା କରୁଛନ୍ତି । ବର୍ଷାର ପ୍ରକୋପ କେତେ ଭୟଙ୍କର ହୋଇପାରେ ଚଳିତବର୍ଷ ସମସ୍ତେ ଦେଖିଲେଣି । ତେବେ ପ୍ରକୃତି ରୋଷ କରିବା ପଛର କାରଣ କ’ଣ , ଆଉ କେତେ ଜୀବନ ନେବ ବର୍ଷା ଏବଂ ଏହି ଧ୍ବଂସଲୀଳା କେବେ ଅଟକିବ ତା’କୁ ଅପେକ୍ଷା କରିଛନ୍ତି ଦେଶବାସୀ ।