କନକ ବ୍ୟୁରୋ : ଅସମ୍ପୂର୍ଣ୍ଣ ନଦୀବନ୍ଧକୁ ନେଇ ଆତଙ୍କିତ ନଈକୂଳିଆ ବାସିନ୍ଦା । ଦୀର୍ଘ ୧୦ ବର୍ଷ ହେଲାଣି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ରାଘବପୁର ଠାରୁ ନୂଆଗାଁ ଯାଏ ୩ କିଲୋମିଟର ବ୍ୟାପି ନଦୀବନ୍ଧ ମୁକୁଳା ପଡିଛି । ବର୍ଷାଦିନେ ଗାଁରେ ବନ୍ୟା ଜଳ ପଶୁଛି । ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ବନ୍ଧ କାମ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ନଈକୂଳିଆ ଲୋକେ ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ରାଘବପୁର ଗାଁ । ବୈତରଣୀ ନଦୀ କୂଳରେ ଥିବା ଗାଁରେ ୪ଶହ ପରିବାରକୁ ଡରାଉଛି ମୁକୁଳା ବନ୍ଧ। ଦୀର୍ଘ ବର୍ଷ ହେଲାଣି ନଦୀବନ୍ଧ ନିର୍ମାଣ ସରୁନାହିଁ । ବର୍ଷାଦିନେ ସେହି ବାଟ ଦେଇ ଗାଁରେ ପଶି ଯାଉଛି ବୈତରଣୀର ବନ୍ୟାଜଳ । ଚାଷୀର ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯିବା ସହ ଲୋକେ ଜଳବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହୁଅନ୍ତି । କେବଳ ରାଘବପୁର ଗାଁ ନୁହେଁ, ୩ କିଲୋମିଟର ଦୂର ନୂଆଗାଁ ଯାଏଁ ୫ଟି ପଞ୍ଚାୟତର ୪୦ଟି ଗାଁ ବର୍ଷାଦିନେ ଅସୁରକ୍ଷିତ ହୋଇପଡ଼େ । ନଦୀ ଆରପଟେ ବନ୍ଧ କାମ ସରିଥିବାରୁ ବନ୍ୟା ଆସିଲେ ରାଘବପୁର ଗାଁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ ବନ୍ଧ କାମ ତୁରନ୍ତ ସାରିବାକୁ ଦାବି ହୋଇଛି ।