କନକ ବ୍ୟୁରୋ : ଲଗାଣ ବର୍ଷା ପରେ ବେହାଲ ବାଲେଶ୍ୱର ଜିଲ୍ଲା । ଗାଁ ଗଣ୍ଡାରେ ଲୋକଙ୍କ ଘରେ ପାଣି ପଶିବା ସହିତ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ସୁବର୍ଣ୍ଣରେଖାରେ ସପ୍ତମ ଥର ପାଇଁ ବନ୍ୟା ଆସିଥିବା ବେଳେ ଏହାଦ୍ୱାରା ଜନଜୀବନ ପ୍ରଭାବିତ ହୋଇଛି । ସେହିପରି ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଉବୁଟୁବୁ ହେଉଛି ସୋର, ବସ୍ତା, ନୀଳଗିରି ସମେତ ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳ । ବର୍ଷା ପାଣି ଜମି ରହିଥିବା ବେଳେ ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଲହରୀ ଖେଳୁଛି । କେଉଁଠି ଡ୍ରେନେଜ୍‌ ତ ଆଉ କେଉଁଠି ଅବରୋଧ ଯୋଗୁଁ ବାରମ୍ବାର ଏଭଳି ସ୍ଥିତି ଉପୁଜୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଲୋକଙ୍କ ଅଭିଯୋଗ ।

Advertisment

ଜଳକାରେ ବନ୍ୟା ସ୍ଥିତିରେ ସୁଧାର ଆସୁଥିବା ବେଳେ ବୈତରଣୀ ନଦୀରେ ବନ୍ୟାଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ସେପଟେ ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦର ଜଳସ୍ତର ବୃଦ୍ଧି ହେଇଛି । ମୋଟ ୨୪ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଆଗାମୀ ୪ ଦିନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନଥିବା କାରଣରୁ ରାଜ୍ୟରେ ବନ୍ୟାସ୍ଥିତି ସୃଷ୍ଟି ହେବନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

୮ ତାରିଖ ବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହା ୧୩ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ୧୩ରୁ ୧୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।