କନକ ବ୍ୟୁରୋ: ବନ୍ୟା ପାଣିରେ ବୁଡିଲା ଯାଜପୁର ସପ୍ତମାତୃକା ମନ୍ଦିର । ବୈତରଣୀରେ ବନ୍ୟା ଯୋଗୁ ଯାଜପୁର ସହରରେ ଥିବା ସପ୍ତମାତୃକା ମନ୍ଦିର ବୁଡି ଯାଇଛି । ଆସନ୍ତାକାଲି ଶ୍ରାବଣ ସୋମବାର ଥିବାରୁ ଦଶ୍ୱାଶମେଧ ଘାଟରେ କାଉଡିଆଙ୍କ ଭିଡ ଲାଗି ରହିଛି । ପାଣି ଭିତରେ ପଶି ଶହଶହ କାଉଡିଆ ପାଣି ନେଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବାହିନୀ ଉପସ୍ଥିତ ଅଛନ୍ତି । ବୈତରଣୀ ଜଳସ୍ତର ବଢୁଥିବା ବେଳେ କୋରେଇ, ଦଶରଥପୁର, ଯାଜପୁରରେ ବନ୍ୟା ପରିସ୍ଥିତି ଦେଖା ଦେଇଛି ।
ବୈତରଣୀରେ ବିପଦ ସଂକେତ ଉପରେ ବନ୍ୟା ପାଣି ପ୍ରଭାବିତ ହେଉଛି । ବିପଦ ସଂକେତ ୧୮. ୩୩ ଥିବା ବେଳେ ବର୍ତ୍ତମାନ ୧୮.୬୨ ଉପରେ ପ୍ରଭାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକର ମାଳଦା ଷୋଳମପୁର ରାସ୍ତାରେ ବନ୍ୟା ପାଣି ଲହଡି ମାରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍କୁ ଭଣ୍ଡାରିପୋଖରୀ ଧାମନଗରରେ ନିୟୋଜିତ କରାଯାଇଛି । ସମସ୍ତ ସରକାରୀ ଅଧିକାରୀମାନେ ସମ୍ଭାବ୍ୟ ବନ୍ୟା ପାଇଁ ଆଲର୍ଟ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ, ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି । ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀ । ମଥାନୀଠାରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି ଜଳକାରେ । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ନଦୀର ଜଳସ୍ତର ବଢିଛି । ବସ୍ତା ସମେତ ନଦୀର ଉପରମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇଛି । ବସ୍ତା ବ୍ଲକର ୮ ପଞ୍ଚାୟତର ୩୦ରୁ ଅଧିକ ଗାଁ ପାଣି ଘେରରେ ରହିଛି ।
ସେହିପରି ସଦର ବ୍ଲକର ୨ଟି ପଞ୍ଚାୟତ ଶ୍ରୀରାମପୁର ଓ ରସଲପୁର ପ୍ରଭାବିତ ହୋଇଛି । ହଜାର ହଜାର ହେକ୍ଟର ଚାଷଜମିରେ ଲହଡ଼ି ମାରୁଛି ବନ୍ୟାଜଳ । ବସ୍ତା ବ୍ଲକର ତଳିଆ ଅଞ୍ଚଳର ପାଣି ଘେରରେ ଥିବା ୨୦୦ ରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଧୀରେଧୀରେ ବୃଦ୍ଧି ପାଉଛି । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ପାଣି ଛାଡ଼ିବା ଫଳରେ ବଢୁଛି ଜଳସ୍ତର । ରାଜଘାଟଠାରେ ସତର୍କ ସଙ୍କେତ ୯.୪୫ ମିଟର ରହିଥିବା ବେଳେ ଏବେ ଜଳସ୍ତର ବୃଦ୍ଧି ପାଇ ୯.୫୫ ମିଟରରେ ପ୍ରବାହିତ ହେଉଛି । କିଛି ସମୟ ମଧ୍ୟରେ ସୁବର୍ଣ୍ଣରେଖାରେ ପ୍ରବେଶ କରିବ ବଡ଼ ବନ୍ୟାଜଳ ବୋଲି କୁହାଯାଉଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ବାଲିଆପାଳ ବ୍ଲକ ତଳିଆ ଅଞ୍ଚଳର ପ୍ରତି ପୁଣି ଥରେ ବିପଦ ଆସିବା ସମ୍ଭାବନା ରହିଛି ।