କନକ ବ୍ୟୁରୋ : ସେପ୍ଟେମ୍ବର ମାସରେ ଦେଶରେ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ ଠାରୁ ଅଧିକ ରହିବ । ତାମିଲନାଡ଼ୁ, କେରଳ ଓ ଉତ୍ତର ପୂର୍ବ ଭାରତରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ରହିବ। ତେବେ ଉତ୍ତର ଭାରତ ସମେତ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ଅଧିକ ବର୍ଷାର ସମ୍ଭାବନା ରହିଛି ।  ସେପ୍ଟେମ୍ବରରେ ଓଡ଼ିଶାରେ ମଧ୍ୟ ସ୍ୱାଭାବିକ ବର୍ଷା ରହିବ । ଉପକୂଳ ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ଅଞ୍ଚଳରେ ଭଲ ବର୍ଷା ହେବା ନେଇ ଆକଳନ କରିଛି ଆଇଏମଡି । 

Advertisment

ଏପଟେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ । ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲା ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେପଟେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏଲ୍‌ ନିନୋ ଓସିଲେସନ ସକ୍ରିୟ କାରଣରୁ ଏଥର ମୌସୁମୀ ଅପସାରଣ ବିଳମ୍ବ ହେବ । ସାଧାରଣତଃ ସେପ୍ଟେମ୍ବର ୧ ରେ ମୌସୁମୀ ଅପସାରଣ ହୋଇଥାଏ କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ତୃତୀୟ ସପ୍ତାହ ବେଳକୁ ହେବ । ରାଜସ୍ଥାନରୁ ଅପସାରଣ ଆରମ୍ଭ ହେବ ।