କନକ ବ୍ୟୁରୋ: ଏହିସବୁ ଫିଲ୍ମ ଓଲିଉଡ଼ ପାଇଁ ବରଦାନ ହୋଇ ଆସିଛି । ବିଗତ କିଛି ବର୍ଷରେ ପୁଣି ଟ୍ରାକ୍କୁ ଫେରିଛି ଓଲିଉଡ଼ ଏକ୍ସପ୍ରେସ୍ । ଡବିଂ ଓ କପି ଭଳି କଳାଦାଗ ଲାଗିଥିବା ଓଡ଼ିଆ ସିନେମାକୁ, କରୋନା ପରେ ପରେ ସତେ ଯେମିତି ମିଳିଯାଇଛି ବୁଷ୍ଟର ଡୋଜ୍ । କଳିଙ୍କି ଲାଗିଯାଇଥିବା ଓଡ଼ିଆ କାହାଣୀକୁ ଯୁବ ଫିଲ୍ମ ନିର୍ମାତାମାନେ ଏବେ ପୁନଃରୁଦ୍ଧାର କରୁଛନ୍ତି । ସେଥିପାଇଁ ତ ପୁଣି ଥରେ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବାରେ ଲାଗିଛି ଓଡ଼ିଆ ଫିଲ୍ମ ।
ଏବର୍ଷ କିଛି ନୂଆମୁହଁ ଓଡ଼ିଆ ସିନେମାର ମୁହଁରୁ ହଜିଯାଇଥିବା ହସକୁ ଫେରାଇ ଆଣିବାର ମାଧ୍ୟମ ସାଜିଛନ୍ତି । ନକଲ ପରମ୍ପରାର ଟ୍ରେଣ୍ଡକୁ ଭାଙ୍ଗି ଓଡ଼ିଆ ଫିଲ୍ମ ନିର୍ମାତାମାନେ ଖାଣ୍ଟି ଓଡ଼ିଆ ତଥା ମୌଳିକ କାହାଣୀକୁ ନେଇ ଫିଲ୍ମ ତିଆରି କରିବା ଆରମ୍ଭ କରିଛନ୍ତି । ଯେଉଁଥିପାଇଁ ସେମାନଙ୍କ ଫିଲ୍ମଗୁଡ଼ିକ ଜାତୀୟସ୍ତରରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ଏହାସହିତ ଓଡ଼ିଆ ଫିଲ୍ମଠାରୁ ଦୂରେଇ ଯାଇଥିବା ଶିକ୍ଷିତ ବର୍ଗ ପୁଣି ପୁରୁଣା ଓଲିଉଡ୍ ଯୁଗ ଫେରିଆସୁଛି ବୋଲି କହିବାରେ ଲାଗିଲେଣି । ହେଲେ ଯେଉଁଠି ଭଲ ହେଉଥାଏ ସେଠି ହୁଏତ କାହାର ନଜର ଲାଗିଯାଏ । ଏଇ ଦେଖୁନାହାନ୍ତି ଯେମିତି ଓଲିଉଡ଼ କଳି ଓଡ଼ିଆ ସିନେ ଜଗତନକୁ ବେଳେ ବେଳେ ବ୍ୟାକଫୁଟକୁ ଠେଲିଦେଉଛି ।
#୨୪ରେ_ଓଲିଉଡ_ଗାଡ଼ି #ଅଟକିଲା_କମ୍_ଗଡ଼ିଲା_ଅଧିକ ମନେରହିବ ୨୪ର ଓଲିଉଡ଼ କାହାଣୀ: ନକଲ ଟ୍ରେଣ୍ଡ ଭାଙ୍ଗି ନିଚ୍ଛକ ଓଡ଼ିଆ କାହାଣୀ ଆସିଲା । ବିବାଦ...
Posted by Kanak News on Monday, December 30, 2024
୨୦୨୪ରେ ଓଡ଼ିଆ ସିନେପ୍ରେମୀ ଓଲିଉଡର ଭାଗ୍ୟ ବଦଳୁଥିବାର ଦେଖିଛନ୍ତି ଆଉ ଓଲିଉଡ କଳି ଝଗଡ଼ାର ମଧ୍ୟ ମୁକସାକ୍ଷୀ ପାଲଟିଛନ୍ତି । ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିନେତା ମନୋଜ ମିଶ୍ର ସୋସିଆଲ ମିଡ଼ିଆରେ କଡ଼ା ମନ୍ତବ୍ୟ ଦେଇ ଯେଉଁକଳିର ଶୁଭ ପକାଇଥିଲେ ସମୟକ୍ରମେ ସେଥିରେ ଆହୁରି ଅନେକ ସାମିଲ ହୋଇଥିଲେ । ବିଭିନ୍ନ ସମୟରେ ମନୋଜ ଏକାଧିକ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକଙ୍କୁ ଟାର୍ଗେଟ୍ କରିବାଭଳି ଗାଳି ଦେଇଥିଲେ । ପ୍ରତିପକ୍ଷରୁ ବି ସମାନ ଭାଷାରେ ପ୍ରତ୍ୟୁତ୍ତର ଦିଆଯାଇଥିଲା । ଅନେକ ସମୟରେ ସେସବୁ ସୀମା ମଧ୍ୟ ଟପି ଯାଇଥିଲା । ଯାହାଫଳରେ ଓଡ଼ିଆ ସିନେଜଗତ ଦି’ଭାଗ ହୋଇ ଯାଇଥିଲା । ମନୋଜଙ୍କୁ ଫିଲ୍ମରେ ନେବେନି ବୋଲି କିଛି ପ୍ରଯୋଜକ ଓ ନିର୍ଦ୍ଦେଶକ ଘୋଷଣା କରିବାବେଳେ ମନୋଜଙ୍କୁ ବିରୋଧ କରୁଥିବା ପ୍ରଯୋଜକ, ନିର୍ଦ୍ଦେଶକ ବା ଅଭିନେତାଙ୍କ ଫିଲ୍ମକୁ ପଶ୍ଚିମ ଓଡ଼ିଶାରେ ପ୍ରଦର୍ଶନ କରିବାକୁ ଦିଆଯିବନାହିଁ ବୋଲି ବି ତାଙ୍କ ସମର୍ଥକମାନେ ଚେତାବନୀ ଦେଇଥିଲେ । ଅବଶ୍ୟ ମାମଲା ସେତେବାଟ ଆଗେଇ ନଥିଲା । କିନ୍ତୁ ତା’ପରେ ମଧ୍ୟ ଝଗଡ଼ା ଥମିନି। ଏପରିକି ଏକ ମାମଲାରେ ମନୋଜ ଓ ତାଙ୍କ ବିରୋଧୀ ଗୋଷ୍ଠୀ ଥାନାରେ ଠେଲାପେଲା କରିବା ଓ ଗାଳିଦେବାର ଦୃଶ୍ୟ ଓଡ଼ିଆ ଫିଲ୍ମକୁ ଲୋକହସା କରିଛି । କିନ୍ତୁ ସେହି କିଛିଦିନ ଏହି ଝଗଡ଼ାର କୁପ୍ରଭାବ ଓଡ଼ିଆ ଫିଲ୍ମ ଉପରେ ପଡ଼ିଥିଲା ନିଶ୍ଚୟ । କିଛି ଫିଲ୍ମର ବ୍ୟାବସାୟିକ କ୍ଷତି ମଧ୍ୟ ହୋଇଥିଲା, ଫିଲ୍ମ ଜଗତରେ ଆହୁରି ଫାଟ ପଡ଼ିଥିଲା ।
ଦିନେ ସଫଳତାର ଶୀର୍ଷରେ ଥିବା ଓଡ଼ିଆ ଆଲ୍ବମ୍ ଭଳି ଓଡ଼ିଆ ଫିଲ୍ମ ମଧ୍ୟ ମରିହଜି ଯିବ ବୋଲି ଧାରଣା ସୃଷ୍ଟି ହେଉଥିଲା । ନାହିଁ ନାହିଁର ଏ ଇଣ୍ଡଷ୍ଟ୍ରିରେ ବି ବ୍ୟାବସାୟିକ ଭାବେ ସଫଳ ଓ ଉଚ୍ଚମାନର ଫିଲ୍ମ ତିଆରି କରାଯାଇପାରେ ବୋଲି ‘ଦମନ’ ଜରିଆରେ ଉଜ୍ଜିବୀତ ହୋଇଥିବା ବିଶ୍ୱାସଟି ୨୦୨୪ର ‘କର୍ମ’ ଜରିଆରେ ଦୃଢ଼ ହୋଇପାରିଛି । ଓଡ଼ିଆ ଫିଲ୍ମ ଜଗତରେ ନୂଆଆଶା କଅଁଳିଛି । କାରଣ ଓଲିଉଡର କଳିଝଗଡ଼ାଠୁ ଦୂରରେ ରହି ନିଜ କାମ ଜାରି ରଖିଛନ୍ତି କିଛି ଯୁବ ଫିଲ୍ମ ନିର୍ମାତା । ସେମାନେ ହିଁ ସଫଳଭାବେ ଓଡ଼ିଆ ଫିଲ୍ମର ଧାରାକୁ ବଞ୍ଚାଇ ରଖିଛନ୍ତି ବୋଲି କହିଲେ ଭୁଲ୍ ହେବନି ।
ଓଲିଉଡକୁ ଦିଶା ଦେଖାଇଲା ‘ଦମନ’
ଚଳଚ୍ଚିତ୍ରକୁ ମିଳିଲା ଜାତୀୟ ପୁରସ୍କାର
ଚଳିତବର୍ଷ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ ଓଡ଼ିଆ ଫିଲ୍ମ ‘ଦମନ’ ୨୦୨୨ ବର୍ଷର ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଛି । ବିଶାଳ ମୌର୍ୟ୍ୟ ଓ ଦେବୀପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପରେ ହିନ୍ଦୀରେ ଡବ୍ହୋଇ ସାରା ଦେଶରେ ରିଲିଜ୍ ହୋଇଥିଲା । ସବୁ ଦିଗରୁ ପ୍ରଶଂସା ପାଇଥିବା ଏହି ଫିଲ୍ମଟିକୁ ରାଜ୍ୟ ସରକାର କରମୁକ୍ତ ଘୋଷଣା କରିଥିଲେ । ସତ କହିବାକୁ ଗଲେ, ‘ଦମନ’ ଜାତୀୟସ୍ତରରେ ଓଡ଼ିଆ ଫିଲ୍ମ ପ୍ରତି ଦର୍ଶକ ଓ ସମାଲୋଚକଙ୍କର ଦୃଷ୍ଟିକୁ ଫେରାଇ ଆଣିଥିଲା । ଫିଲ୍ମଟି ସେଯାଏ ସବୁଠୁ ଅଧିକ ବ୍ୟବସାୟ କରିଥିବା ଓଡ଼ିଆ ଫିଲ୍ମର ମାନ୍ୟତା ପାଇବା ସହିତ ଅଭିନେତା ବାବୁସାନ୍ଙ୍କୁ ନୂଆ ପରିଚୟ ପ୍ରଦାନ କରିଥିଲା ।
ଓଡ଼ିଆ ସିନେମାକୁ ମିଳିଲା ‘କର୍ମ’ ଫଳ
ସବୁ ରେକର୍ଡ ଭାଙ୍ଗିଲା ପ୍ରଶଂସା ସାଉଁଣ୍ଟିଲା
୨୦୨୪ର ୩୬ତମ ଫିଲ୍ମ ଭାବେ ଗତ ଅକ୍ଟୋବର ମାସରେ ରିଲିଜ୍ ହୋଇଥିବା ‘କର୍ମ’କୁ ଏ ବର୍ଷରେ ଓଡ଼ିଆ ଫିଲ୍ମର ସବୁଠୁ ବଡ଼ ଉପଲବ୍ଧି କହିଲେ ଭୁଲ୍ ହେବନି। ଅମୀୟ ପଟ୍ଟନାୟକ ପ୍ରଡକସନ୍ ବ୍ୟାନର୍ରେ ନିର୍ମିତ ଏ ଫିଲ୍ମର ପ୍ରଯୋଜକ-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ମଧ୍ୟ ସବୁ ଦୃଷ୍ଟିରୁ ଏବର୍ଷର ସଫଳତମ ସିନେବ୍ୟକ୍ତିତ୍ବ। ମୌଳିକ କାହାଣୀକୁ ନେଇ ଆଧୁନିକ ଟେକ୍ନୋଲୋଜିର ବ୍ୟବହାରରେ ତିଆରି ଏ ଫିଲ୍ମଟି କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ବେଶ୍ କିଛି ସ୍ଥାନରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି। ବର୍ତ୍ତମାନ ସମୟରେ ଓଡ଼ିଆ ଫିଲ୍ମ ହଲ୍ରେ ଗୋଟିଏ ସପ୍ତାହ ତିଷ୍ଠିବା କାଠିକର ପାଠ ହେଉଥିବାବେଳେ ‘କର୍ମ’ ଅନେକ ସ୍ଥାନରେ ଏଯାଏଁ ପ୍ରଦର୍ଶିତ ହେଉଛି। ବହୁବର୍ଷ ପରେ ଓଡ଼ିଆ ଫିଲ୍ମରେ ଏଭଳି ଘଟଣା ଘଟିଛି। ତେଣୁ ବ୍ୟବସାୟରେ ମଧ୍ୟ ଫିଲ୍ମଟି ଏକ ବିଶାଳ ରେକର୍ଡ ସ୍ଥାପନ କରିଛି। ଏ ଖବର ପ୍ରକାଶିତ ହେବାବେଳକୁ ‘କର୍ମ’ର କର୍ମଫଳ ୧୦ କୋଟି ପାଖାପାଖି ହୋଇଯିବାର ସବୁ ଆଶା ରହିଛି ।
କମବ୍ୟାକ୍ କଲେ ସୁପରଷ୍ଟାର
ବିବାଦ ଭିତରେ କମିନି କ୍ରେଜ୍
ସେଇ ଗୋଟିଏ ଫିଲ୍ମ ‘କର୍ମ’ ଓଡ଼ିଆ ସିନେଜଗତର ଅନେକ ଅଡୁଆ ଗଣ୍ଠିକୁ ଖୋଲିଦେବାରେ ସଫଳ ହୋଇଛି । ତା’ଭିତରୁ ଗୋଟିଏ ହେଲା ଓଡ଼ିଆ ସୁପର୍ଷ୍ଟାର୍ ଭାବେ ବେଶ୍ କିଛିବର୍ଷ ହେଲା ସ୍ବୀକୃତି ପାଇ ଆସୁଥିବା ଅଭିନେତା ଅନୁଭବ ମହାନ୍ତିଙ୍କର ଟଳମଳ ଫିଲ୍ମ କ୍ୟାରିୟର୍କୁ ‘କର୍ମ’ ଯଥାସମ୍ଭବ ସଜାଡ଼ି ଦେଇଛି। ଏକଦା ଅନୁଭବଙ୍କର କ୍ରେଜ୍ ଓ ଚାହିଦା ଏତେ ଥିଲା ଯେ ସେ ଯାହାକୁ ଛୁଉଁଥିଲେ, ସୁନା ହୋଇ ଯାଉଥିଲା କହିଲେ ଭୁଲ୍ ହେବନି। କିନ୍ତୁ ରାଜନୀତିରେ ପ୍ରବେଶ, ସେ ସଂପର୍କିତ ବିବାଦ; ପୁଣି ପାରିବାରିକ ସମସ୍ୟାଜନିତ କାରଣରୁ ସେ ଫିଲ୍ମ ପାଇଁ ଅଧିକ ସମୟ ଦେଇ ପାରିନଥିଲେ। ଯେତିକି ବି ଫିଲ୍ମରେ ଅଭିନୟ କରିଥିଲେ, ଅଧିକାଂଶ ବକ୍ସ ଅଫିସ୍ରେ କେବଳ ବିଫଳ ହୋଇନଥିଲା, ଚର୍ଚ୍ଚାକୁ ବି ଆସିନଥିଲା। ସେ ଧାରା ଲଗାତାର ଜାରି ରହିଥିବାବେଳେ ‘କର୍ମ’ ଆସିଲା। ଏହାପରେ ଅନୁଭବ ଗୋଟିଏ ନୂଆଜନ୍ମ ପାଇଛନ୍ତି କହିଲେ ଭୁଲ୍ ହେବନି ।
ନୂଆ ସରକାରଙ୍କ କଳାକୁ ସମ୍ମାନ
୫ ବର୍ଷ ପରେ ଫେରିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ବିବାଦ ଭିତରେ ୨୦୨୪ ଓଲିଉଡ ପାଇଁ ପୂର୍ଣ୍ଣମିର ଖୋଲା ଆକାଶ ଭଳି ରହିଥିଲା । କାରଣ ପ୍ରାୟ ୫ ବର୍ଷ ବ୍ୟବଧାନ ପରେ ଏ ବର୍ଷର ଶେଷ ଆଡ଼କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥର ୨୦୨୦, ୨୦୨୧ ଓ ୨୦୨୨ ବର୍ଷର ପୁରସ୍କାର ଦିଆଯାଇଛି । ୨୦୨୦ରେ କରୋନା କାରଣରୁ ଅତି ଅଳ୍ପ ସଂଖ୍ୟକ ଫିଲ୍ମ ତିଆରି ହୋଇଥିଲେ ହେଁ ଅନ୍ୟ ଦୁଇବର୍ଷ ପାଇଁ ଦାଖଲ ହୋଇଥିବା ଫିଲ୍ମର ସଂଖ୍ୟା ଠିକ୍ଠାକ୍ ଥିଲା ଏବଂ ଭଲ ପ୍ରତିଯୋଗିତା ମଧ୍ୟ ହୋଇଥିଲା । ପୁରସ୍କାର ଜୁରି ସମେତ ମନୋନୟନ ପ୍ରକ୍ରିୟା ଗତ ସରକାରଙ୍କ ସମୟରୁ ଶେଷ ହୋଇଥିଲା, ବର୍ତ୍ତମାନର ସରକାର କେବଳ ପୁରସ୍କାର ପ୍ରଦାନ କରିଥିଲେ। ମୋଟ୍ ଉପରେ ଦେଖିଲେ ୩୩ଟି ବର୍ଗରେ ଏଥର ଶତାଧିକ ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯାଇଥିଲା । ଫିଲ୍ମ ସେନ୍ସର ବୋର୍ଡ ସ୍ବୀକୃତିପ୍ରାପ୍ତ ମୋଟ୍ ୪୬ଟି ଫିଲ୍ମ ପୁରସ୍କାର ପାଇଁ ଆବେଦନ କରିଥିଲେ । ଏଥିମଧ୍ୟରୁ ୨୦୨୦ରେ ବିଶ୍ୱନାଥ ପଟ୍ଟନାୟକଙ୍କ ‘ସହିଦ ରଘୁ ସର୍ଦ୍ଦାର’, ୨୦୨୧ପାଇଁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ଓ ଅତୀଶ କୁମାର ରାଉତଙ୍କ ‘ଡାଲ୍ଚିନି’ ଏବଂ ୨୦୨୨ ପାଇଁ ଦୀପେନ୍ଦ୍ର ସାମଲଙ୍କ ‘ଦମନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ଧିରେ ଧିରେ ଓଲିଉଡ୍ ଅଣ୍ଟା ସଳଖି ଛିଡ଼ା ହେଉଥିବାବେଳେ ୨୦୨୪ରେ ଅନେକ ବାଦବିବାଦ ଦେଖିବାକୁ ମିଳିଛି । ଆମେ ଆଶା କରିବା ୨୦୨୫ ନୂଆ ବର୍ଷ ଓଡ଼ିଆ ରୂପେଲୀ ପରଦାରେ ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2024/12/31/BmdXXlkb7e0ICCtkvesf.jpg)