କନକ ବ୍ୟୁରୋ: ସମାଜରେ ବସବାସ କରୁଥିବା ମଣିଷ ସବୁବେଳେ ଖବର ପାଲଟନ୍ତି । ମଣିଷମାନଙ୍କୁ ନେଇ ହିଁ ତ ଖବର କରାଯାଏ । ସେ ଅପରାଧ କୁହନ୍ତୁ କି ରାଜନୀତି, କ୍ରୀଡା କୁହନ୍ତୁ କି କୃତିତ୍ୱ- ମଣିଷ ହିଁ ଗଣମାଧ୍ୟମରେ ବାଜୁଥିବା ଏବଂ ଛପା ହେଉଥିବା ଖବରର କେନ୍ଦ୍ରବିନ୍ଦୁ ଥାଏ । ମଣିଷ ଖବର ତିଆରି କରେ ଆଉ ଖବର ବି ପାଲଟେ । କିନ୍ତୁ ପଶୁଙ୍କୁ ନେଇ କଦବା କୋଚିତ ଖବର ହୁଏ । ହେଲେ ବର୍ଷ ୨୦୨୪ରେ ହେଡଲାଇନରୁ ହଟୁନଥିଲେ ପଶୁ ।
ଶିମିଳିପାଳର ବାଘୁଣୀ, ଭୁବନେଶ୍ୱରର ମହୁମାଛି, ଢେଙ୍କାନାଳର ହାତୀପଲ, କେନ୍ଦ୍ରାପଡାର ଆତଙ୍କୀ କୁମ୍ଭୀର.. ବର୍ଷ ତମାମ ଖବର ହୋଇ ଲୋକଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ...
ଜିନ୍ନତ-ଯମୁନାଙ୍କୁ ନେଇ ଜୋରଦାର ଚର୍ଚ୍ଚା
ବାଘୁଣୀଙ୍କୁ ନେଇ ବେଶ ଚର୍ଚ୍ଚାରେ ରହିଛି ବିଦାୟୀ ବର୍ଷ ୨୦୨୪ । ଶିମିଳିପାଳର ଦୁଇ ବାଘୁଣୀ ଜିନ୍ନତ ଏବଂ ଯମୁନା ଏବେ ଗଣମାଧ୍ୟମର ହେଡଲାଇନରୁ ହଟୁ ନାହାନ୍ତି । ନିଇତି ଦୁଇ ବାଘୁଣୀଙ୍କୁ ନେଇ ନୂଆ ନୂଆ ଖବର ଆସୁଛି । କେତେବେଳେ ଶିମିଳିପାଳରୁ ଫେରାର ତ କେତେବେଳେ ଓଡିଶା ସୀମା ଡେଇଁ ଝାଡଖଣ୍ଡ-ପଶ୍ଚିମବଙ୍ଗ ଯିବାର ଖବର ବି ଆସୁଛି । ତେବେ ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ମହାରାଷ୍ଟ୍ରରୁ ଆସିଥିବା ଏ ଦୁଇ ବାଘୁଣୀ ୨୦୨୪ର ସବୁଠୁ ଚର୍ଚ୍ଚିତ ପଶୁ ବୋଲି କୁହାଯାଉଛି ।
ସ୍କୁଲରେ ପଶିଥିଲା ଭାଲୁ
ବନ୍ଦ ହୋଇଥିଲା ପାଠପଢା
୨୦୨୪, ଜୁଲାଇ ମାସ । ନବରଙ୍ଗପୁର ନନ୍ଦାହାଣ୍ଡିରୁ ଆସିଥିଲା ଭାଲୁକୁ ନେଇ ଏକ ଭୟର ଖବର । ଯେଉଁଠି କାହା ବାଡିରେ କି କାହା ଘରେ ନୁହେଁ ବରଂ ସ୍କୁଲରେ ପଶିଯାଇଥିଲା ଭାଲୁ । ଛାତ୍ରଛାତ୍ରୀ, ଶୋଇଥିବା ଭାଲୁକୁ ଦେଖି ଭୟଭୀତ ହୋଇ ପଡିଥିବା ବେଳେ ପାଠପଢା ବନ୍ଦ ରହିଥିଲା ଏବଂ ସ୍କୁଲ ପରିସରରୁ ଗଛକୁ ଚଢିଯାଇଥିବା ଭାଲୁକୁ କାବୁ କରିବାକୁ ବନ ବିଭାଗ ନାକେଦମ୍ ହୋଇପଡିଥିଲା ।
ଚାଲିଗଲା ଚନ୍ଦକାର ବାହୁବଳୀ
ଓଦା ହୋଇଥିଲା ଅଭୟାରଣ୍ୟର ଆଖି
ନବରଙ୍ଗପୁରର ଭାଲୁ ଭୟ ସରୁ ସରୁ ଅଗଷ୍ଟରେ ଓଦା ହୋଇଥିଲା ଅଭୟାରଣ୍ୟର ଆଖି । କାରଣ ଚନ୍ଦକାରୁ ସବୁଦିନ ପାଇଁ ବିଦାୟ ନେଇ ଚାଲିଯାଇଥିଲା ବାହୁବଳୀ ହାତୀ ରାମୁ । ବିଦ୍ୟୁତ୍ ଆଘାତରେ ରାମୁର ମୃତ୍ୟୁ ହୋଇଥିବା ବେଳେ ତାହା ଖବରର ଶିରୋନାମା ପାଲଟିଲା । କାରଣ ଦୀର୍ଘ ୪୦ ବର୍ଷ ହେବ ଯେଉଁ ଜଙ୍ଗଲରେ ତାର ଶୈଶବ କଟିଛି ସେହି ଜଙ୍ଗଲରେ ହିଁ ସିଏ ଶେଷ ନିଶ୍ୱାସ ତ୍ୟାଗ କରିଛି । ଖୋର୍ଦ୍ଧାର ସବୁଠୁ ବଡ ହାତୀ ଭାବେ ଜଣାଶୁଣା ଥିଲା ରାମୁ । ରାଜଧାନୀ ରାଜରାସ୍ତାରେ ଆତଙ୍କ ରଚି ହେଡଲାଇନ ହେଉଥିବା ହାତୀ ମୃତ୍ୟୁ ପରେ ବି ବେଶ ଚର୍ଚ୍ଚାରେ ରହିଥିଲା ।
କଟକ-ଭୁବନେଶ୍ୱରରେ କୁମ୍ଭୀର ଆତଙ୍କ
କୁମ୍ଭୀରକୁ ନେଇ ସବୁବେଳେ କେନ୍ଦ୍ରାପଡା ଚର୍ଚ୍ଚାରେ ରହୁଥିବା ବେଳେ କଟକ-ଭୁବନେଶ୍ୱରରେ ମଧ୍ୟ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିବା । ଅଗଷ୍ଟରେ କଟକ କାଠଯୋଡି ନଦୀର ତ୍ରିଶୂଳିଆ ବ୍ରିଜ୍ ନିକଟ ନଦୀପଠାରେ ବାଲି ଉପରେ କୁମ୍ଭୀର ଶୋଇଥିବା ଦେଖିଥିଲେ ଲୋକେ । ଆଉ ଅକ୍ଟୋବର ମାସରେ ଭୁବନେଶ୍ୱର କୁଆଖାଇ ନଦୀରେ କୁମ୍ଭୀରକୁ ଦେଖି ଛାନିଆ ହୋଇଥିଲେ ଲୋକେ ।
ହାତୀ-ବାରହାଙ୍କ ନାଲିଆଖି
ରାତି ଅନିଦ୍ରା ଚାଷୀ
ବର୍ଷ ତମାମ ହାତୀପଲଙ୍କ ଖବର ଗଣମାଧ୍ୟମର ଶୀର୍ଷକ ପାଲଟେ । ଫସଲ ଖାଇବାକୁ ଆସି ଏକର ଏକର ଜମି ନଷ୍ଟ କରି ପଳାନ୍ତି ବଣୁଆ ହାତୀପଲ ଏବଂ ବଣ ବାରହା । ଯେଉଁଥିପାଇଁ ଫସଲ ଜଗିବାକୁ ରାତି ଅନିଦ୍ରା ରୁହନ୍ତି ଚାଷୀ । ପଶୁ-ମଣିଷ ଲଢେଇର ରୋଚକ ଚିତ୍ର ୨୦୨୪ରେ ଅନେକ ଥର ସାମ୍ନାକୁ ଆସିଛି ।
ବିନ୍ଧି ଦେଇଗଲେ ମହୁମାଛି
ରାଜଧାନୀରେ ମହୁମାଛିଙ୍କ ଆତଙ୍କରାଜ୍
ବର୍ଷ ୨୦୨୪ର ଶେଷ ଆଡକୁ ଅର୍ଥାତ ଡିସେମ୍ବର ମାସରେ ଦେଖିବାକୁ ମିଳିଲା ଏକ ଅଭୁଲା ଘଟଣା । ଯାହା ସବୁଦିନ ପାଇଁ ମନେ ରଖିବ ଏ ରାଜଧାନୀ, ମନେରଖିବେ ଦେଖଣାହାରୀ । ସେଦିନ ଯୁବ କଂଗ୍ରେସର ବିକ୍ଷୋଭ ବେଳେ ଗୋଡେଇ ଗୋଡେଇ ବିନ୍ଧିଥିଲେ ମାଳମାଳ ମହୁମାଛି । ଭୟରେ କିଏ ରାସ୍ତାରେ ଗଡି ଯାଇଥିଲା ତ କିଏ ବ୍ୟାନର ତଳେ ଲୁଚି ଯାଇଥିଲା । ମହୁମାଛି ଆକ୍ରମଣରୁ ନା ବିକ୍ଷୋଭକାରୀ, ନା ପୋଲିସ, ନା ଗଣମାଧ୍ୟମର କର୍ମଚାରୀ କେହି ବି ବର୍ତ୍ତି ପାରିନଥିଲେ...
ଆଉ ଦିନ କେଇଟା ପରେ ୨୪’ର ପୃଷ୍ଠା ଚିରିଯିବ । କ୍ୟାଲେଣ୍ଡର ବଦଳିଯିବ, ପୁରୁଣାର ଦାଗ ମୁଣ୍ଡାଇ ସେ କ୍ୟାଲେଣ୍ଡର ଘରର କେଉଁ କୋଣରେ ପଡିଥିବ । କିନ୍ତୁ ୨୦୨୪ର ସବୁ ମାସ, ସବୁ ବାର ଓ ତାରିଖରେ ଘଟିଥିବା ସବୁ କାହାଣୀ ଓ ସବୁ ସ୍ମୃତି- ଖାଲି ୨୪ ନୁହେଁ ଚିର ଦିନ ପାଇଁ ମନେ ରହିବ...