କନକ ବ୍ୟୁରୋ : ଦୀର୍ଘ ୧୨ ଘଣ୍ଟାର ଅପରେସନ୍‌ ପରେ ଉଦ୍ଧାର ହେଲେ ପର୍ଯ୍ୟଟକ ଓ ଉଦ୍ଧାରକାରୀ । ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ରେ ଆତଙ୍କ ଖେଳାଇଥିବା ବାରହା କବଳରୁ ମୁକୁଳିଛନ୍ତି ୫ ପର୍ଯ୍ୟଟକ । ହିଂସ୍ର ବାର୍‌ହା ଭୟରେ ଗଛ ଉପରେ ଆଶ୍ରୟ ନେଇଥିଲେ ୫ ପର୍ଯ୍ୟଟକ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । 

Advertisment

ସୂଚନା ଅନୁସାରେ, ଜଟଣୀ ଅଞ୍ଚଳର ୫ଜଣ ଯୁବକ ଭୋଜି କରିବାକୁ ବରୁଣେଇ ଶିଖରକୁ ଯାଇଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ବରୁଣେଇ ପାଦଦେଶରୁ କିଛି ସ୍ଥାନୀୟ ଯୁବକ ଓ ପୁଲିସ ବିଟ ହାଉସର ପୁଲିସ ମିଶି ୭ଜଣ ଯାଇଥିଲେ । ସେମାନଙ୍କୁ ମଧ୍ୟ ବାରହା ଆକ୍ରମଣ କରିବାରୁ କିଛି ଗଛ ଉପରେ ଆଉ କିଛି ଟାୱାରର ଆଶ୍ରୟ ନେଇଥିଲେ । ଆଉ ୩ଜଣ ତଳେ ପଡିଯିବାରୁ ତାଙ୍କୁ ବାରହା ଆକ୍ରମଣ କରିଥିଲା । ସେଥିରେ ଜଣେ ପୋଲିସ କର୍ମଚାରୀ ପ୍ରଦୀପ କୁମାର ତରାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇ ପଡ଼ିରହିଥିଲେ । ଦୀର୍ଘ ୫ରୁ ୬ଘଣ୍ଟା ଗଛରେ ଆଶ୍ରୟ ନେବା ପରେ ଆଉ ଆକ୍ରମଣର ଶିକାର ହୋଇଥିବା ପୁଲିସ ପଡିରହିବା ପରେ ବନବିଭାଗ ଓ ପୁଲିସର ଏକ ଟିମ ଉଦ୍ଧାର ପାଇଁ ଯାଇଥିବା ବେଳେ ସେମାନେ ବି ବାରହା ଆକ୍ରମଣର ଶିକାର ହୋଇଥିଲେ । ଫଳରେ ସେମାନେ ଗଛରେ ଆଶ୍ରୟ ନେଇଥିଲେ । 

ଘଟଣା ସ୍ଥଳରେ ଖୋର୍ଦ୍ଧା ଏସପି, ଡିଏଫଓ, ଅଗ୍ନିଶମ ଅଧିକାରୀ, ବନ ବିଭାଗର ମୋଟ ୪୦ ଜଣିଆ ଟିମ ପଠା ଯାଇଥିଲା । ଯେଉଁଥିରେ ଜାଲ ,ଟ୍ରାଙ୍କୁଲାଇଜର ସୁଟର, ଲାଇଟ୍, ବାଣ, ନିଆଯାଇଥିଲା । ସେପଟେ ବାରହାର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନର ସାହାଯ୍ୟ ନିଆଯାଇଥିଲା । ଶେଷରେ ବାରହାକୁ ଘଉଡ଼ାଇ ୫ପର୍ଯ୍ୟଟକ ସମେତ ୪୦ଜଣଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ହୋଇଥିବା ପୁଲିସର କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଗୁରୁତରଙ୍କ ମଧ୍ୟ କ୍ୟାପିଟାଲରେ ଚିକିତ୍ସା ଚାଲିଛି ।