କନକ ବ୍ୟୁରୋ: ପୂର୍ବ ସରକାର ଫାଇଭ-ଟି ଅଧିନରେ ରାଜ୍ୟର ହଜାର ହଜାର ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରି, ରୂପାନ୍ତରୀକରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଫାଇଭ-ଟି ସ୍କୁଲର ସିଲିଂ ଖସି ଛାତ୍ରୀ ଓ ଶିକ୍ଷକ ଆହତ ହେବା ପରେ ରୂପାନ୍ତରଣର ଗୁମର ଖୋଲିଛି । ଅସାଧୁ ଅଧିକାରୀ ଓ ଠିକାଦାର ରୂପାନ୍ତରଣ ନାଁରେ କୋଟି କୋଟି ଲୁଟ୍ କରିଥିବା ସନ୍ଦେହ ବଢ଼ିବାରେ ଲାଗିଛି ।
ଖୋର୍ଦ୍ଧା, ଜିଲ୍ଲା ଧଳାପଥର ବାଳିକା ଉଚ୍ଚବିଦ୍ୟାଳୟରୁ ଆସିଥିବା ଦୃଶ୍ୟ ଫାଇଭ-ଟିର ଗୁମରକୁ ପଦାରେ ପକାଇଛି । ସ୍କୁଲ ନିର୍ମାଣ ହେବାର ମାତ୍ର କେଇ ମାସ ଭିତରେ ସିଲିଂ ଖସି ପଡିବା ଓ ଛାତ୍ରୀ ଓ ଶିକ୍ଷକ ଆହତ ହେବା ପୂରା ଫାଇଭ-ଟି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲାରେ ୪ଟି ପର୍ୟ୍ୟାୟରେ ୨୯୦ଟି ସ୍କୁଲକୁ ରୂପାନ୍ତରୀକରଣ କରାଯାଇଛି । ସେହିପରି ୧୦୮ଟି କଲେଜର ରୂପାନ୍ତରଣ କରାଯାଇଛି । ରୂପାନ୍ତରଣ ପାଇଁ ପ୍ରାୟ ୨୦୦ କୋଟି ଖର୍ଚ୍ଚ ହୋଇଛି । ତେବେ ଏତେ ଟଙ୍କା ଖର୍ଚ୍ଚ ସତ୍ତ୍ୱେ, ଫାଇଭ-ଟି ରୂପାନ୍ତରଣର ଗୁମରକୁ ପଦାରେ ପକାଇଛି । କେଉଁଠି ଡେସ୍କ ଅଛି ତ ତା ଉପର ପଟା ନାହିଁ, କେଉଁଠି କେବଳ କାନ୍ଥ ରେ ରଙ୍ଗ ବୋଲି ଦେଇଛନ୍ତି ତ, କେଉଁଠି ଛାତରୁ ସିଲିଂ ଖସିଲାଣି, କେଉଁଠି ପାଣି ଗଳିଲାଣି, କେଉଁଠି କେଉଁଠି ଟାଇଲ ସବୁ ଉଠିଗଲାଣି । ତେବେ ବଡ଼ କଥା ହେଲା ଯେଉଁ ମହାନ ଉଦ୍ଦେଶ୍ୟରେ ଏହି ସବୁ ନିର୍ମାଣ ହୋଇଥିଲା ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଆଉ କମ୍ପ୍ୟୁଟର ରୁମ୍ ସେଠି କମ୍ପ୍ୟୁଟରର ଦେଖାନାହିଁ ।
ସରକାରୀ ବିଦ୍ୟାଳୟ ରେ ପଢ଼ୁଥିବା ପିଲା ବି ଯେ କୌଣସି ଗୁଣ ରେ କମ ନୁହନ୍ତି ,ବା ସେମାନଙ୍କ ପରିବେଶ ଯେ ପ୍ରାଇଭେଟ ସ୍କୁଲ ସହ ସମକକ୍ଷ ହେବ ,ସେଥିପାଇଁ ଗତ ସରକାର ରେ ବିଦ୍ୟାଳୟ ଗୁଡିକୁ ଫାଇଭ୍-ଟି ସ୍କୁଲ ରେ ଅନ୍ତର୍ଭୁକ୍ତ କରିଥିଲା । ଏହି ବ୍ୟବସ୍ଥାରେ ବିଭିନ ସ୍କୁଲରେ ଟାଇଲ, ରଙ୍ଗ, ବୋଳା ହୋଇ ଚକା ଚକ କରାଗଲା । ହେଲେ ଗଢ଼ା ହେବାର କେଇ ମାସ ମଧ୍ୟରେ ଚିତ୍ର ସବୁ ଜ୍ଵଳ ଜ୍ଵଳ ହୋଇ ଦିଶୁଛି ।