କନକ ବ୍ୟୁରୋ : ପୁରୀର ୫ ପବିତ୍ର ପୁଷ୍କରିଣୀ ପ୍ରଦୂଷିତ । ଶ୍ରେଣୀ ‘ଖ’ର ମାନଦଣ୍ଡ ବି ପୂରଣ କରିପାରୁନାହିଁ ଏହି ସବୁ ପୁଷ୍କରିଣୀର ପାଣି। ପ୍ରତିକାର ପାଇଁ ପୁରୀ ପୌରସଂସ୍ଥାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାରମ୍ବାର ଚିଠି ପରେ ବି କିଛି କରାଯା ନାହିଁ । ଏନେଇ ଭକ୍ତ, ପରିବେଶବିତ୍ ଏବଂ ପୁରୀ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ନରେନ୍ଦ୍ର, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗା ଓ ଲୋକନାଥ ଦେବଙ୍କ ପାର୍ବତୀ ସାଗର ଆଦି ପୁରୀର ୫ ପବିତ୍ର ପୁଷ୍କରିଣୀ ପ୍ରଦୂଷିତ ହୋଇଯାଇଛି। ପରିବେଶ ମନ୍ତ୍ରାଳୟ ଚିଠି ଲେଖି ଏହା ସ୍ପଷ୍ଟ କରିଛନ୍ତି । ଏସବୁ ପୁଷ୍କରିଣୀର ପାଣି ଅନ୍ୟ ବ୍ୟବହାର ତ ଦୂରର କଥା, ସ୍ନାନ ପାଇଁ ମଧ୍ୟ ଅନୁପଯୁକ୍ତ । ଏନେଇ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉଦ୍ବେଗ ପ୍ରକାଶ କରିଛନ୍ତି । ପ୍ରଦୂଷଣ କମାଇବା ପାଇଁ ପଦକ୍ଷେପ ନେବାକୁ ପୁରୀ ପୌରସଂସ୍ଥାକୁ ବାରମ୍ବାର ଚିଠି ଲେଖା ଯାଇଥିଲେ ମଧ୍ୟ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି ।
୨୦୨୨ରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନ୍ୟାସନାଲ୍ ୱାଟର୍ କ୍ବାଲିଟି କଣ୍ଟ୍ରୋଲ ମନିଟରିଂ ପ୍ରୋଗ୍ରାମ ଜରିଆରେ ଓଡ଼ିଶାର ବିଭିନ୍ନ ପୁଷ୍କରିଣୀ, ହ୍ରଦ, ନାଳ ଆଦିର ପାଣି ନମୁନା ପରୀକ୍ଷା କରାଯାଇଥିଲା। ୨୦୨୩ରେ ବି ପ୍ରତି ମାସରେ ପୁରୀର ୫ ପୁଷ୍କରିଣୀର ଜଳମାନ ପରୀକ୍ଷା କରାଯାଇଥିଲା। ୫ ପୁଷ୍କରିଣୀର ପାଣି ଗୁଣାତ୍ମକ ମାନଦଣ୍ଡ ପୂରଣ କରି ପାରିନାହାନ୍ତି । ଏହା ପରେ ପୁରୀ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାରମ୍ବାର ଚିଠି ଲେଖି ଆସୁଛି । କିନ୍ତୁ ଏଥିପ୍ରତି ଧ୍ୟାନ ଦିଆଯାଇନାହିଁ । ପାଣିରେ ପୂଜା ସାମଗ୍ରୀ, ଖାଦ୍ୟ ସାମଗ୍ରୀ ଫିଙ୍ଗିବା ଓ ଆବର୍ଜନା ପାଣି ମିଶିବାରୁ ଏଭଳି ସ୍ଥିତି ଉପୁଜିଛି । ପଞ୍ଚତୀର୍ଥ ପୁଷ୍କରଣୀ ଭକ୍ତଙ୍କ ଭାବାବେଗ ସହ ଯୋଡ଼ି ହୋଇଥିବାରୁ ପ୍ରଶାସନ କେବେ ଏହା ପ୍ରତି ଦୃଷ୍ଟି ଦେବ, ତା’ ଉପରେ ନଜର।