କନକ ବ୍ୟୁରୋ: ଗଞ୍ଜେଇ ଚାଲାଣବେଳେ ଧରାପଡ଼ିଲେ ବି-ଟେକ୍ ଛାତ୍ର । ପାଠ ପଢୁଥିବା ପିଲାଙ୍କୁ ଘାରିଛି ନିଶା । ରାସ୍ତାରେ ଚେକିଂବେଳେ ଦ୍ରୁତ ଗତିରେ ଯାଉଥିବା ଦୁଇଟି କାର୍କୁ ଧରିଲା କନ୍ଧମାଳ ଫିରିଙ୍ଗିଆ ପୁଲିସ । ଜବତ ହେଲା ଗଂଜେଇ, ଗିରଫ ହେଲେ ୫ ଛାତ୍ର । ଫିରିଙ୍ଗିଆ ପୋଲିସ ଦୁଇଟି କାର ସହ ୨୭ କିଲୋ ଗଞ୍ଜେଇ ଜବତ କରିଛି । ଏହାସହ ପାଞ୍ଚ ଜଣ ବିଟେକ ଛାତ୍ରଙ୍କୁ ଗିରଫ କରିଛି । କିଛି ଦିନ ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସକୁ ମିଳିଛି ଏହି ସଫଳତା । ଫିରିଙ୍ଗିଆ ବାଲିଗୁଡା ରାସ୍ତାର ମାଶ୍ରୀପଡା ଛକ ନିକଟରେ ଗାଡିମଟର ଯାଞ୍ଚ କରିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଦୁଇଟି କାରକୁ ଅଟକାଇ ଯାଞ୍ଚ କରିଥିଲେ ।
ଯାଞ୍ଚ ଚାଲିଥିବା ସମୟରେ କାରରୁ ଏକ ଗଞ୍ଜେଇ ଭର୍ତି ବ୍ୟାଗ ବାହାରିଥିଲା । ଘଟଣାସ୍ଥଳରୁ ଛାତ୍ର ଫେରାର ହୋଇଯିବା ପାଇଁ ଚେଷ୍ଟା କରିଥିଲା ବେଳେ କୌଶଳ କ୍ରମେ ପୋଲିସ ଛାତ୍ର ମାନଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଛାତ୍ର ମାନଙ୍କ ମଧ୍ୟରେ ଜଣେ ଯାଜପୁର ଜିଲ୍ଲା ବଡ଼ଚଣା ଥାନାର, ଜଣେ ଖୋର୍ଦ୍ଧାର ଓ ଅନ୍ୟ ତିନିଜଣ କେନ୍ଦୁଝର ଫକୀରପୁର ଗାଁର ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗିରଫ ଛାତ୍ର ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।