କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀନଦୀ ମୁହାଣକୁ କବଜା କରିଛନ୍ତି କୋଲକାତାର ମାଫିଆ । ଅସ୍ତରଙ୍ଗ ବ୍ଲକର ୨୦ ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କ ଜୀବିକା ବୁଡ଼ିବାକୁ ବସିଛି । ପୂର୍ବରୁ ଦେବୀନଦୀ ଏବଂ ମୁହାଣ ଅଞ୍ଚଳରୁ ପ୍ରଚୁର ପରିମାଣର ମାଛ ଧରି ଏମାନେ ପରିବାର ଚଳାଉଥିଲେ। କିନ୍ତୁ ଏବେ ମାଛଙ୍କ ସଂଖ୍ୟା କମିଯାଉଛି । କୋଲକାତାର କିଛି ମାଛ ମାଫିଆ ଏହି ଅଞ୍ଚଳରୁ ଯାଆଁଳ ଚୋରା ଚାଲାଣ କରୁଛନ୍ତି । ଫଳରେ ଅଞ୍ଚଳରେ ଆଉ ଆଗଭଳି ପ୍ରଚୁର ମାଛ ମିଳୁନି । ମାଛ ମାଫିଆ ଜଙ୍ଗଲରେ ହାଚେରି କରି ଯାଆଁଳ ରଖିବା ସହ ବାହାରକୁ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି।  

Advertisment

ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗ ନିଦରେ ଶୋଇଥିବା ବେଳେ ଆମେ ଏନେଇ ଅସ୍ତରଙ୍ଗ ରେଞ୍ଜରଙ୍କୁ ଜଣାଇଥିଲୁ । ସେ ଦୁଇଜଣ ବନ କର୍ମଚାରୀଙ୍କୁ ପଠାଇ ଜଙ୍ଗଲରେ ମାଛ ମାଫିଆଙ୍କ ଟେଣ୍ଟ ଭାଙ୍ଗି ସେମାନଙ୍କୁ ସେଠାରୁ ବାହାର କରିଥିଲେ। ବନ କର୍ମଚାରୀ ଚାଲିଯିବା ପରେ ମୁହାଣର ବାଲିକୁଦ ଉପରେ ମାଫିଆଙ୍କ ଅନେକ ଟେଣ୍ଟ ଦେଖିବାକୁ ମିଳିଥିଲା ।

କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଉ କେହି ନଥିଲେ। ଏପରି ଭାବରେ ଯାଆଁଳ ଚାଲାଣ ଯୋଗୁ ସ୍ଥାନୀୟ ମତ୍ସ୍ୟଜୀବୀ ଜୀବିକା ହରାଉଥିବା କହିଛନ୍ତି । ମାଫିଆମାନେ ଧରୁଥିବା ଯାଆଁଳରୁ କେବଳ ଖଇଙ୍ଗା ଓ ଚିଙ୍ଗୁଡ଼ି ଯାଆଁଳ ବାଛି ନେଉଥିବା ବେଳେ ଅନ୍ୟ ଯାଆଁଳ ନଷ୍ଟ କରିଦେଉଛନ୍ତି। ଫଳରେ ନଦୀରେ ଖଇଙ୍ଗା ଓ ଚିଙ୍ଗୁଡ଼ି ମିଳିବା ତ ଦୂରର କଥା, ଅନ୍ୟମାଛ ସଂଖ୍ୟା ମଧ୍ୟ କମୁଛି । ଯାଆଁଳା ଚୋରା ଚାଲାଣ ନେଇ ମତ୍ସ୍ୟ ବିଭାଗ କାହିଁକି ଚୁପ୍? ବୋଲି ପ୍ରଶ୍ନ ଉଠୁଛି। ନା ଜାଣି ଅଜଣାଙ୍କ ପରି ଶୋଇଛି?