କନକ ବ୍ୟୁରୋ: ଆମ ଦେଶରେ ଏଭଳି ଅନେକ ସ୍ଥାନ ରହିଛି ଯାହା ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ରଖିଛି । ଆଉ ଏଭଳି କିଛି ସ୍ଥାନର ବିଶେଷତ୍ତ୍ୱ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ, ଯାହା ମଣିଷର କଳ୍ପନାଠାରୁ ବହୁ ଉଦ୍ଧ୍ୱର୍ରେ , ଈଶ୍ୱରଙ୍କ ଅନବଦ୍ୟ ସୃଷ୍ଟି ।
ଏଭଳି ଏକ ସ୍ଥାନ ହେଉଛି ଅରୁଣାଚଳପ୍ରଦେଶର ଡୋଙ୍ଗ ଗାଁ । ଯେତେବେଳେ ଆପଣ ଘୋଡା ବିକି ଶୋଇଥିବେ, ମାନେ ପୁରା ଅଚିନ୍ତାରେ ନିଘୋଡ ନିଦରେ ଶୋଇଥିବେ , ସେତେବେଳେ, ଏଠି କିନ୍ତୁ ସୂରୁଜ ଉଏଁ । କଅଁଳ ସୂର୍ଯ୍ୟର ଚିକମିକ ୍କିରଣ ଦେଖିବାକୁ ଏଠି ପର୍ଯ୍ୟଟକଙ୍କ ଭିଡ ଲାଗେ । ତେବେ ଅଧରାତିରେ ସୂର୍ଯ୍ୟ ଉଇଁବା କଥାଟା ଆପଣଙ୍କୁ ଖଟକା ଲଗୁଛି ନା? କିନ୍ତୁ କଥାଟା ଏକବାର ସତ । ତେବେ ଏହାର ରହସ୍ୟ କ’ଣ?
ଡୋଙ୍ଗ ଗାଁ , ଅରୁଣାଚଳପ୍ରଦେଶର ଜବାଙ୍ଗ ଜିଲ୍ଲାରେ ଅବସ୍ଥିତ । ଯେଉଁଠି ଭାରତର ପ୍ରଥମ ସୂର୍ଯ୍ୟ ଉଦୟ ହୁଏ । ଏହି ଗାଁକୁ ‘ଭାରତର ପ୍ରଥମ ସୂର୍ଯ୍ୟୋଦୟ ସ୍ଥଳ’ ବୋଲି କୁହାଯାଏ । ଏହି ନିଆରା ସୂର୍ଯ୍ୟୋଦୟ ଦେଖିବାକୁ ଦୂରଦୂରାନ୍ତରୁ ଲୋକେ ଆସନ୍ତି । ଏଠି ପ୍ରଥମ ସୂର୍ଯ୍ୟ କିରଣର ଲାଲିମାରେ ପୁରା ପରିବେଶ ଝଲସି ଉଠେ ।
ଡୋଙ୍ଗ ଭ୍ୟାଲି ଭାରତର ଏକ ଅନନ୍ୟ ଉପହାର । ଏହା ଦେଶର ପୂର୍ବରେ ରହିଛି, ଯାହା ସମୁଦ୍ର ପତନଠାରୁ ୧୨୪୦ ମିଟର ଉଚ୍ଚତାରେ ଅବସ୍ଥିତ । ଏବଂ ପର୍ଯ୍ୟଟକ ସୂର୍ଯ୍ୟୋଦୟ ଦେଖିବାକୁ ଅଧରାତି ଅର୍ଥାତ ରାତି ୨-ଟାରୁ୩ ଭିତରେ ଗାଁର ସବୁଠୁ ଉଚ୍ଚ ସ୍ଥାନରେ ପହଞ୍ଚିଯାଆନ୍ତି । ଫଳରେ ଦେଶର ସବୁଠୁ ପ୍ରଥମ ସର୍ଯ୍ୟୋଦୟ ଦେଖିପାରିବେ ।
ଡୋଙ୍ଗ ଗାଁ ଏକ ପ୍ରତିବନ୍ଧିତ ଇଲାକା । ଏଠାକୁ ଯିବାକୁ ସରକାରଙ୍କ ନିର୍ଦ୍ଦିଷ୍ଟ ନିୟମ ପାଳନ କରିବାକୁ ପଡେ । କାରଣ ଏଠାରେ ସ୍ୱଦେଶୀ ଜନଜାତିର କିଛି ଲୋକ ବସବାସ କରୁଛନ୍ତି । ତେଣୁ ଯିଏ ଅରୁଣାଚଳପ୍ରଦେଶ ବାହାରୁ ବୁଲିବାକୁ ଆସନ୍ତି ସେମାନଙ୍କୁ ଅରୁଣାଚଳପ୍ରଦେଶ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଇଏଲପି ଅର୍ଥାତ୍ ଇନର ଲାଇନ୍ ପରମିଟ୍ ପାଇଁ ଆବେଦନ କରିବାକୁ ପଡେ । ଯଦି ଆପଣ ଏହି ଗାଁକୁ ବୁଲିବାକୁ ଆସିବାକୁ ଚାହାଁନ୍ତି, ତେବେ ପ୍ରଥମ ସୂର୍ଯ୍ୟକିରଣ ଦେଖିବାକୁ ଆପଣଙ୍କୁ କିଛି କଷ୍ଟ କରିବାକୁ ପଡିବ । କାରଣ ପର୍ଯ୍ୟଟକଙ୍କୁ ଟ୍ରେକରେ ଏଠାକୁ ଆସିବାକୁ ପଡିବ, ଯେଉଁଠି ପ୍ରଥମ ସୂର୍ଯ୍ୟଙ୍କୁ ଦେଖିହେବ । ଅନ୍ଧାର ଭିତରେ ଟ୍ରେକିଙ୍ଗ କରିବା ଏକ ଭିନ୍ନ ଅନୁଭୂତି ନିଶ୍ଚୟ । କେବଳ ପ୍ରକୃତିର ଧ୍ୱନି ଶୁଣାଯାଉଥିବ, ଯେତେଯେତେ ଉପରକୁ ଯାଉଥିବେ ସେତେ ତାପମତ୍ରା କମୁଥିବ, ଥଣ୍ଡା ବି ବଢୁଥିବ । ତେଣୁ ଶୀତ ପୋଷାକରେ ଆସିବା ନିହାତି ଜରୁରୀ ।
ଡୋଙ୍ଗ ଭ୍ୟାଲିରେ ସୂର୍ଯ୍ୟୋଦୟ ଅତ୍ୟନ୍ତ ମନୋରମ । ସୁଉଚ୍ଚ ପାହାଡ, ଘନ ସବୁଜିମା, ଉଦୟର ପ୍ରଥମ କିରଣ, , ଚିକଚିକ୍ କରୁଥିବା ହଳଦି ଓ ନାରଙ୍ଗୀ ରଙ୍ଗର କିରଣ ପୁରା ପରିବେଶକୁ ଏକ ଅବର୍ଣ୍ଣନୀୟ ଆଭାରେ ରଙ୍ଗାୟୀତ କରେ ।
ଆସାମର ଦିବ୍ରୁଗଡ ଏୟାରପୋର୍ଟ ଏହାଠାରୁ କମ୍ ଦୂରତାରେ । ଡୋଙ୍ଗ୍ ଯାଏଁ ପହଞ୍ଚିବାକୁ ପର୍ଯ୍ୟଟକଙ୍କୁ କ୍ୟାବ୍ କିମ୍ବା ଟ୍ୟାକ୍ସି ନହେଲେ ବସରେ ଯିବାକୁ ପଡିବ । ଏୟାରପୋର୍ଟରୁ ଡୋଙ୍ଗରେ ପହଞ୍ଚିବାକୁ ପାଖାପାଖି ୬ ଘଣ୍ଟା ସମୟ ଲାଗିବ । ତେବେ ଯଦି ଆପଣ ବୁଲିବାରୀ ସଉକ ରଖୁଥାନ୍ତି ତାହେଲେ ଡୋଙ୍ଗ ଭ୍ୟାଲିକୁ ଥରେ ନିଶ୍ଚୟ ଆସନ୍ତୁ ।