ଆସାମରେ ବିଧାନସଭା ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୪୫ ଜଣିଆ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ଅଧିକାଂଶ ବର୍ତ୍ତମାନର ବିଧାୟକଙ୍କ ନାମ ରହିଛି। ତେବେ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋ‌ଷଣା କରାଯାଇନଥିବାରୁ କଂଗ୍ରେସ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ଶୁକ୍ରବାର କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ର ଭର୍ଚୁଆଲ ବୈଠକରେ ଏହି ପ୍ରାର୍ଥୀ ତାଲିକା ସ୍ଥିର କରାଯାଇଛି। ଏହି ସବୁ ନାମ ଚୂଡ଼ାନ୍ତ କରିବା ପୂର୍ବରୁ ବରିଷ୍ଠ ନେତା ରାଜ୍ୟ ଶାଖା ଓ ସ୍କ୍ରିନିଂ କମିଟିଠାରୁ ଫିଡବ୍ୟାକ୍‌ ନେଇଥିଲା। କଂଗ୍ରେସ ସିଇସି ବୈଠକରେ ନବ ଗଠିତ ବିନ୍ନକାଣ୍ଡି ଏବଂ ଖୋୱାଙ୍ଗ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଦୁଇ ଆସନ କଂଗ୍ରେସ ଏହାର ସହଯୋଗୀଙ୍କୁ ଦେବାକୁ ଚିନ୍ତା କରୁଥିବାବେ‌ଳେ ଦଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାନୁସାରେ, ନାଗାଓଁ ଲୋକସଭା ସାଂସଦ ପ୍ରଦ୍ୟୁତ ବୋର୍ଦୋଲେଇ ଏବଂ ଧୁବ୍ରି ସାଂସଦ ରାକିବୁଲ ହୁସେନ୍‌ଙ୍କ ପୁଅଙ୍କ ପ୍ରାର୍ଥୀପତ୍ର ମଧ୍ୟ ଏହି ବୈଠକରେ ଆସିଥିଲା। କଂଗ୍ରେସ ୧୦୦ ଆସନରେ ଲଢ଼ିବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଆସନ ବଣ୍ଟନ ନେଇ ସହଯୋଗୀଙ୍କ ସହିତ ଆଲୋଚନା ଜାରି ରହିଛି। ସରୁପଥର ଓ ଭବାନୀପୁର- ସୋର୍‌ଭୋଗ ଆସନ ଆସାମ ଜାତୀୟ ପରିଷଦ ଏବଂ ସିପିଏମ୍‌କୁ ଛାଡ଼ିବାକୁ ନେଇ ଦଳୀୟ କର୍ମୀ ଗୁରୁବାର ପ୍ରତିବାଦ କରିଥିଲେ। ଗୋଲାଘାଟରେ ଆସାମ ପ୍ରଦେଶ କଂଗ୍ରେସ ମୁଖ୍ୟ ଗୌରବ ଗୋଗୋଇଙ୍କୁ ଦଳୀୟ କର୍ମୀ ଘେରାଉ କରିଥିଲେ।

Advertisment