କନକ ବ୍ୟୁରୋ: ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନରେ ହାହାକାର ସ୍ଥିତି । ରାତି ଅଧିଆ ଆତଙ୍କୀ ଆଡ୍ଡା ଉପରେ ଭାରତ ଏୟାର ଷ୍ଟାଇକ କରି ଧ୍ୱଂସ କରିଦେଇଛି । ପହଲଗାମ ଆକ୍ରମଣର ବଦଲା ନେବାକୁ ଯାଇ ମଙ୍ଗଳବାର ମଧ୍ୟରାତିରେ ଭାରତୀୟ ସେନା ଆରମ୍ଭ କରିଥିଲେ ଅପରେସନ ସିନ୍ଦୂର । ପହଲଗାମ ଆକ୍ରମଣର ୧୫ ଦିନ ପରେ ଭାରତୀୟ ସେନା ଆତଙ୍କବାଦୀଙ୍କୁ କଡା ଜବାବ ଦେଇଥିଲେ । ଆତଙ୍କୀସ୍ତାନରେ ପଶି ଆତଙ୍କୀଙ୍କ ଛାତ ଉଡ଼ାଇଦେଇଥିଲେ ଭାରତୀୟ ଯବାନ । ଏଥିରେ ୮୦ରୁ ୯୦ ଆତଙ୍କୀ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ଏବେ ଛାନିଆ ପାକିସ୍ତାନ । କଣ କରିବ କିଛି ବୁଦ୍ଧିବାଟ ଦିଶୁନଥିବା ବେଳେ ବାଉଳା ହୋଇ ସୀମାରେ ସାଧାରଣ ଲୋକଙ୍କ ଉପରେ ଫାୟରିଂ କରୁଛି । ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀ କହୁଛନ୍ତି ପାକିସ୍ତାନ ବି ବଦଲା ନେବେ । ସେପଟେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହୁଛନ୍ତି ପାକିସ୍ତାନ ସେନା ଭାରତୀୟ ରାଫେଲକୁ ଆଟାକ କରିଛି । ଏବେ ପ୍ରଥମ ଏୟାର ଷ୍ଟ୍ରାଇକ ପରେ ଭାରତ କାଳେ ଦ୍ବିତୀୟ ଏୟାର ଷ୍ଟ୍ରାଇକ କରିବ ସେନେଇ ପାକିସ୍ତାନକୁ ଆଉ ରାତିରେ ନିଦ ହେଉନି ।
ସେପଟେ ଆଜି ପାକିସ୍ତାନର ଲାହୋରର ୩ଟି ସ୍ଥାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହାପରେ ପାକିସ୍ତାନ ପଞ୍ଜାବରେ ସିରିଏଲ ବ୍ଲାଷ୍ଟ ହୋଇଛି । ସେଖପୁରା, ଘୋଟକି, ସିଆଲକୋଟରେ ବିସ୍ଫୋରଣ ହୋଇଛି । ଏଥିରେ ଅନେକଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସୁଛି । ସେପଟେ ଗୁଜରନୱାଲାରେ ଡାକ୍ତରଖାନାରେ ଆହତଙ୍କ ଭିଡ଼ ଜମୁଛି । ବିସ୍ଫୋରଣ ପରେ ପାକିସ୍ତାନର ବିଭିନ୍ନ ସହରରେ ସାଇରନ ବାଜୁଛି । ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । କିଛି ଲୋକ ଡ୍ରୋନ ଆକ୍ରମଣ ହୋଇଥିବା ନେଇ କହୁଥିବା ବେଳେ ଅନ୍ୟ କିଛି ଲୋକ ମିସାଇଲ ମାଡ଼ ହୋଇଥିବା କହୁଛନ୍ତି ।
ପାକିସ୍ତାନରେ ଘନ ଘନ ବିସ୍ଫୋରଣ ପରେ ଲାହୋର ଏବଂ ଇସଲାମାବାଦ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । ତେବେ ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ । କୁହାଯାଉଛି ଏହି ବିସ୍ଫୋରଣ ପଛରେ ବଲୁଚି ଆର୍ମିର ହାତ ରହିଛି । ସେପଟେ ପାକିସ୍ତାନରେ ବିସ୍ଫୋରଣ ପରେ ହାଇ ଆଲର୍ଟରେ ରହିଛି ଭାରତ । ସୀମାରେ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ ମୋଡରେ ରଖାଯାଇଛି । ସୀମାବର୍ତ୍ତୀ ୨୭ଟି ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି । ତେବେ ପାକିସ୍ତାନରେ ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ରହିଛି ଲାଗୁଛି ଖୁବଶୀଘ୍ର ଯୁଦ୍ଧ ହୋଇପାରେ । ଗୋଟିଏ ପଟେ ଭାରତର ଭୟ ପାକିସ୍ତାନକୁ ଘାରିଥିଲା ବେଳେ ଆଉ ଗୋଟିଏ ପଟେ ଏହାର ଫାଇଦା ଉଠାଇଛି ବଲୁଚିସ୍ତାନର ବିଏଲଏ ଆର୍ମି ।
ପାକିସ୍ତାନ ଉପରେ ଏବେ ସଙ୍କଟ ଘାରି ଥିବା ବେଳେ ପାକିସ୍ତାନର ଏବେ ସାଥ ଦେଉନି ତାର ପରମ ବନ୍ଧୁ ଚୀନ୍ । ପାକିସ୍ତାନକୁ ବର୍ତ୍ତମାନ ସହାୟତା ବଦଳରେ ଚୀନ ପଛଘୁଞ୍ଚା ଦେଉଥିବା ଜଣାପଡ଼ିଛି । ଅପରେସନ ସିନ୍ଦୂର ପରେ ଚୀନ କହିଛି କି, ଭାରତ-ପାକିସ୍ତାନକୁ ସୀମାରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଧ୍ୟାନ ଦେବାକୁ ହେବ । ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କ ସହ ମିଶି ଅଶାନ୍ତିକୁ କମ କରିବାକୁ ନିର୍ଣ୍ଣାୟକ ଭୂମିକା ନେଇପାରିବେ । ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି କି, ଆମେ ବର୍ତ୍ତମାନର ସ୍ଥିତିକୁ ନେଇ ଚିନ୍ତିତ ଅଛୁ । ଆଉ ଚୀନ ସବୁବେଳେ ଆତଙ୍କବାଦୀକୁ ବିରୋଧ କରି ଆସୁଛି । ପାକିସ୍ତାନକୁ ଭାରତର ଭୟ ଘାରିଥିବା ବେଳେ ଦେଶ ଭିତରେ ବାରମ୍ୱାର ବିସ୍ଫୋରଣ ପାକ୍ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା ବଢାଇଦେଇଛି ।