କନକ ବ୍ୟୁରୋ: ୟୁପିଏସସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଏ । ପ୍ରତିବର୍ଷ ଅନେକ ଆଶାୟୀ ଅଫିସର ହେବାର ସ୍ୱପ୍ନ ନେଇ ଆସିଥାନ୍ତି । କିଛି ସଫଳତା ପାଇଥାନ୍ତି ଆଉ କିଛି ନିରାଶ ହୁଅନ୍ତି । ତେବେ ଆପଣଙ୍କୁ ଯଦି ପ୍ରଶ୍ନ କରାଯାଏ କୌଣସି କ୍ରିକେଟର ୟୁପିଏସସି ପାସ କରିଛନ୍ତି କି ତେବେ ଆପଣ କିଛି ନଭାବି ତୁରନ୍ତ ହଁ କହିବେ । କାରଣ ଅତିତରେ ଏମିତି ହିଁ ହୋଇଛି । ଭାରତର ଏମିତି ଜଣେ କ୍ରିକେଟର ଅଛନ୍ତି ଯିଏ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଆଉ ୟୁପିଏସସି ପରୀକ୍ଷାରେ ପାସ କରି ଅଫିସର ବି ହୋଇଛନ୍ତି ।
ଯିଏ କ୍ରିକେଟର ହେବାକୁ ଇଚ୍ଛା ପ୍ରକାଶ କରନ୍ତି ସେ ପିଲାଦିନରୁ ପ୍ରାକ୍ଟିସ କରନ୍ତି । ଆଉ ଯିଏ ୟୁପିଏସସି ପରୀକ୍ଷା ଦେବାକୁ ଚାହୁଁଥିବେ ସେ ବି କଠିନ ପରିଶ୍ରମ କରିଥାନ୍ତି । ହେଲେ ଏହି ଭାରତୀୟ କ୍ରିକେଟର ଯିଏ ଦୁଇଟି କାମ ଏକାଥରେ କରି ଦେଖାଇ ପାରିଛନ୍ତି । ଏହି ପୂର୍ବତନ ଭାରତୀୟ କ୍ରିକେଟର ଜଣକ ହେଉଛନ୍ତି ଅମୟ ଖୁରସିୟା ।
ଅମୟ ଖୁରସିୟା ୧୯୯୯ ମସିହାରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ହେଲେ ସେ ଡେବ୍ୟୁ କରିବା ପୂର୍ବରୁ ହିଁ ୟୁପିଏସସି ପରୀକ୍ଷା ପାସ କରିସାରିଥିଲେ । କ୍ରିକେଟ ପ୍ରତି ଥିବା ରୁଚି ଆଉ ଜୁନୁନ ପାଇଁ ଅଫିସର ହେବା ପରେ ବି କ୍ରିକେଟରେ ଭାବେ ନିଜ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ ।
୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିବା ଅମୟ ଖୁରସିୟା ବାମହାତୀ ବ୍ୟାଟ୍ସମ୍ୟାନ ଥିଲେ । ସେ ଶ୍ରୀଲଙ୍କା ବିପକ୍ଷରେ ପୁଣେରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ସେହି ମ୍ୟାଚରରେ ଅମୟ ୪୫ ବଲରେ ୫୭ ରନ କରିଥିଲେ ଯେଉଁଥିରେ ୪ ଚୌକା ଓ ୨ ଛକା ସାମିଲ ଥିଲା । ଭାରତ, ପାକିସ୍ତାନ, ଶ୍ରୀଲଙ୍କ ମଧ୍ୟରେ ଚାଲିଥିବା ଏହି ତ୍ରୀସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ସେ ପାକିସ୍ତାନ ବିପକ୍ଷରେ ବି ମ୍ୟାଚ ଖେଳିଥିଲେ ହେଲେ ବିଫଳ ହୋଇଥିଲେ ।
ଭଲ ପ୍ରଦର୍ଶନ ପରେ ବି କ୍ରିକେଟରେ ନିଜ ଛାପ ଛାଡ଼ି ପାରିନଥିଲେ ଅମୟ । ସେ ଭାରତ ପାଇଁ ୧୨ ଦିନିକିଆ ମ୍ୟାଚ ଖେଳି ମାତ୍ର ୧୪୯ ରନ କରିପାରିଥିଲେ । ସେ ୧୯୯୯ ମସିହା କ୍ରିକେଟ ବିଶ୍ୱକପ ଦଳରେ ବି ସାମିଲ ଥିଲେ ହେଲେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିପାରିନଥିଲା । ଏହାପରେ ସେ କ୍ରିକେଟରୁ ଅବସର ନେଇଯାଇଥିଲେ । ପରେ ସେ ୟୁପିଏସସି ଚାକିରିରେ ଯୋଗ ଦେଇଥିଲେ । ସେ ଭାରତୀୟ କଷ୍ଟମ ଓ ଏକ୍ସସାଇଜ ବିଭାଗରେ କାର୍ୟ୍ୟ କରିଥିଲେ ।
ହେଲେ କ୍ରିକେଟ ପ୍ରତି ଥିବା ତାଙ୍କ ଅହେତୁକ ଭଲପାଇବା ତାଙ୍କୁ ଶୁଆଇଦେଇନଥିଲା । ଚାକିରି ଭିତରେ ବି ସେ ଅନେକ ଯୁବ କ୍ରିକେଟରଙ୍କୁ ଟ୍ରେନିଂ ଦେଇଥିଲେ । ଏହାପରେ ଅବସର ନେଇ ଏବେ କେରଳ କ୍ରିକେଟ ଟିମର ହେଡ୍ କୋଚ ଭାବେ ଦାୟିତ୍ୱ ନେଇଛନ୍ତି ଅମୟ ଖୁରସିୟା ।